ସୁପରପାୱାର ଆମେରିକାକୁ କରୋନା ଭୟ । ୧ କୋଟି ୨୮ ଲକ୍ଷ ସଂକ୍ରମିତ, ଅଢେଇ ଲକ୍ଷରୁ ଅଧିକ ମୃତ୍ୟୁ

113

କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମଣ ସମ୍ମୁଖରେ ଅସହାୟ ହୋଇପଡିଛି ସୁପର ପାୱାର ଆମେରିକା । ଏଠାରେ ଲଗାତର ୨୩ଦିନ ହେଲା ଦିନକୁ ୧ଲକ୍ଷରୁ ଅଧିକ ନୂଆ ସଂକ୍ରମଣ ସାମ୍ନାକୁ ଆସୁଛି । ଗତକିଛି ଦିନ ହେଲଶ ପ୍ରତିଦିନ ୧ଲକ୍ଷରୁ ଅଧିକ ଲୋକ ଭୂତାଣୁ ସଂକ୍ରମିତ ହେଉଛନ୍ତି । ଗତ ବୁଧବାର ଅର୍ଥାତ ନଭେମ୍ବର ୨୫ତାରିଖ ଦିନ ଏକ ଅଲୋଡା ରେକର୍ଡ କରିଛି ଆମେରିକା ।

ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁସାରେ ଆମେରିକାରେ ବୁଧବାର ଦିନ ୧ଲକ୍ଷ ୮୧ହଜାର ୪୯୦ନୂଆ ସଂକ୍ରମଣ ଚିହଟ ହୋଇଥିବା ବେଳେ ୨ହଜାର ୪୯୭ଜଣଙ୍କର ମୃତ୍ୟୁ ହୋଇଛି । ଯାହା ଗତ ୬ମାସର ରେକର୍ଡକୁ ଭାଙ୍ଗିଦେଇଛି । ଏହାସହ ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୨୮ଲକ୍ଷ ୮୫ହଜାର ୨୯୯କୁ ବୃଦ୍ଧି ପାଇଥିବା ବେଳେ ୨ଲକ୍ଷ ୬୩ହଜାର ୪୬୨ଜଣ ଭୂତାଣୁ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।

ଆମେରିକା ପରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଭାରତ ଓ ବ୍ରାଜିଲ । ଆମେରିକାରେ ସକ୍ରୀୟ ମାମଲା ବଢି ୫୧ଲକ୍ଷରେ ପହଂଚିଛି । ଏପଟେ ଭାରତରେ ସୁସ୍ଥ ହାର ୯୪ପ୍ରତିଶତ ରହିଛି । ଅର୍ଥାତ ମୋଟ ୯୩ ଲକ୍ଷ ୯ହଜାର ୮୭୮ ସଂକ୍ରମିତଙ୍କ ମଧ୍ୟରୁ ୮୭ଲକ୍ଷ ୧୮ହଜାର ୫୧୭ ସୁସ୍ଥ ହୋଇସାରିଛନ୍ତି । ଭାରତରେ ୫ଲକ୍ଷଠାରୁ କମ୍ ସକ୍ରୀୟ ମାମଲା ରହିଛି । ସେପଟେ ସବୁଠୁ ପ୍ରଭାବିତ ତାଲିକାର ତୃତୀୟରେ ଥିବା ବ୍ରାଜିଲରେ ୫ଲକ୍ଷରୁ ଅଧିକ ସକ୍ରୀୟ ମାମଲା ଥିବା ବେଳେ ୫୫ଲକ୍ଷ ଲୋକ ସୁସ୍ଥ ହୋଇଛନ୍ତି ।

ଆମେରିକାରେ ସଂକ୍ରମଣ ବଢୁଥିବାରୁ ହସ୍ପିଟାଲ ଗୁଡିକରେ ବେଡ ଅଭାବ ହୋଇଥିବା ଦେଖିବାକୁ ମିଳିଛି । ଆମେରିକାର ସବୁ ଛୋଟ ଛୋଟ ସହରରେ କାୟା ବିସ୍ତାର କରୁଥିବା କରୋନା ଏବେ ଛୋଟ ଛୋଟ ସହରକୁ ମଧ୍ୟ ବ୍ୟାପିବାରେ ଲାଗିଲାଣି । ସେପଟେ ସାରା ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬କୋଟି ୮ଲକ୍ଷ ଅତିକ୍ରମ କରିଥିବାବେଳେ ମହାମାରୀରେ ୧୪ଲକ୍ଷ ୨୯ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।