ମାର୍ଚ୍ଚ ୩୧ ଯାଏଁ ଡିଏଲ ଟେଷ୍ଟ ବାତିଲ । ଗହଳି ଏଡାଇବାକୁ ଆରଟିଓ ଅଫିସର ଲର୍ଣ୍ଣିଂ ଏବଂ ଡ୍ରାଇଭିଂ ଟେଷ୍ଟ ଉପରେ ଲାଗିଲା ରୋକ । ପୂର୍ବରୁ ଅଫିସ ଭିତରେ ୫୦ରୁ ଅଧିକ ଆବେଦନକାରୀ ନରହିବାକୁ ହୋଇଥିଲା ନିଷ୍ପତ୍ତି

1,840

କନକ ବ୍ୟୁରୋ: ଡ୍ରାଇଭିଂ ଟେଷ୍ଟ ପାଇଁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ବଡ ଖବର । ମାର୍ଚ୍ଚ ୩୧ ଯାଏଁ ବାତିଲ ହେଲା ଡିଏଲ ଟେଷ୍ଟ । ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଗାଡି କାଗଜ ପତ୍ର ପାଇଁ କୌଣସି ପରୀକ୍ଷା ହେବ ନାହିଁ । ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି । ତେବେ ଯେଉଁମାନଙ୍କ ମାର୍ଚ୍ଚ ମାସ ଭିତରେ ଟେଷ୍ଟ ଦେବାର ତାରିଖ ସ୍ଥିର ହୋଇଥିଲା ସେମାନେ ମାର୍ଚ୍ଚ ୩୧ ପୂର୍ବରୁ କୌଣସି ଟେଷ୍ଟ ଦେଇପାରିବେନି । ଆରଟିଓ ଅଫିସରେ ଲର୍ଣ୍ଣିଂ ଏବଂ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ବାତିଲ ହୋଇଥିବା ନେଇ ରାଜ୍ୟ ସଡକ ପରିବହନ ସଚିବ ସୂଚନା ଦେଇଛନ୍ତି ।

ସେପଟେ ଆରଟିଓ ଅଫିସରେ ଗହଳି ନକରିବାକୁ ପୂର୍ବରୁ ସୂଚନା ଦିଆଯାଇଥିଲା । ଆରଟିଓ ଅଫିସରେ ଭିଡ ରୋକିବାକୁ କଟକଣା ଲଗାଯାଇଥିଲା । ୫୦ରୁ ଅଧିକ ଆବେଦନକାରୀ ଆରଟିଓ ଅଫିସରେ ରହିପାରିବେନି ବୋଲି ନିର୍ଦ୍ଦେଶ ଦେଇଥିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତେବେ ଯେଉଁମାନେ ପୂର୍ବରୁ ଆବେଦନ କରିଥିଲେ ସେମାନଙ୍କୁ ଆସିବା ପାଇଁ ଫୋନ କଲ ଯିବ । ତେଣୁ ଅଯଥା ଆରଟିଓରେ ଭିଡ ନଜମାଇବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆଉ ସମସ୍ତଙ୍କ ଆରଟିଓଙ୍କୁ ଏ ବାବଦରେ ଜଣାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।

ତେବେ ବର୍ତ୍ତମାନ ଡିଏଲ ଟେଷ୍ଟକୁ ମାର୍ଚ୍ଚ ୩୧ ଯାଏଁ ସ୍ଥଗିତ ରଖିଛି ପରିବହନ ବିଭାଗ । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଗହଳି ଏଡାଇବାକୁ ଭିନ୍ନ ଭିନ୍ନ ନିଷ୍ପତ୍ତି ନେଉଛନ୍ତି । ଗାଡି କାଗଜ ପତ୍ର ପାଇଁ ଆରଟିଓ ଅଫିସରେ ଶହ ଶହ ଲୋକଙ୍କ ଭିଡ ଲାଗୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛନ୍ତି ସରକାର ।