ରାଜ୍ୟରେ କେମିତି ହୋଇଥିଲା ମହାମାରୀର ମୁକାବିଲା? ନ୍ୟୁଜ୍ ମେକର ୨୦୨୦ରେ କରୋନା କାଳର ଅଭିଜ୍ଞତା ବଖାଣିଲେ ଅତିଥି, ସଚେତନତା ବାର୍ତାରୁ କରୋନା କଟକଣା ନେଇ ରଖିଲେ ମତ ।

90

କନକ ବ୍ୟୁରୋ : ମହାମାରୀ କରୋନା ସମୟରେ ଯେତେବେଳେ ସାଧାରଣ ଲୋକଟିଏ ଘରୁ ପଦାକୁ ବାହାରିବାକୁ ଡରୁଥିଲା, ସେହି ସମୟରେ ନିଜ ଜୀବନକୁ ବାଜି ଲଗାଇ ଲଢ଼େଇ ଜାରି ରଖିଥିଲେ କରୋନା ଯୋଦ୍ଧା । କରୋନାକୁ ମାତ ଦେବା ପାଇଁ ସେମାନେ ଦିନ ରାତିକୁ ଏକ କରି ଦେଇଥିଲେ । ଲକ୍ଷ୍ୟ ଥିଲା କରୋନାକୁ ରୋକିବା । ସେହି କରୋନା ଯୋଦ୍ଧାଙ୍କ ମଧ୍ୟରୁ କେତେ ଜଣ ଆଜି କନକ ନ୍ୟୁଜର ନ୍ୟୁଜମେକର-୨୦୨୦ କାର୍ଯ୍ୟକ୍ରମରେ ସାମିଲ ହୋଇ ସେହି ସମୟର ଅଭିଜ୍ଞତାକୁ କହିଛନ୍ତି ।

ବର୍ଷ ୨୦୨୦ ବିତିଛି କରୋନା ମହାମାରୀ ଭିତରେ । କରୋନା ଲଢ଼େଇରେ ଯେଉଁ କେତେଜଣ ସମୁଖ ଯୋଦ୍ଧା ଚର୍ଚ୍ଚିତ ହୋଇଛନ୍ତି, ସେମାନଙ୍କ ଭିତରୁ କିଛି ପ୍ରମୁଖ ବ୍ୟକ୍ତିତ୍ୱ ଏକାଠି ହୋଇଥିଲେ କନକ ନ୍ୟୁଜର ନ୍ୟୁଜ ମେକର ମଂଚରେ । ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏବଂ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ବଖାଣିଥିଲେ କରୋନା କାଳରେ ସେମାନଙ୍କ ଗୁରୁଦାୟିତ୍ୱର କଥା । ଅମାନିଆଙ୍କୁ ଫାଇନ କାଟୁଥିଲା ପୋଲିସ, ହେଲେ ଗରିବଙ୍କ ପାଇଁ ଏହାମାତ୍ର ୫୦ରୁ ୧୦୦ ଟଙ୍କାରେ ସୀମିତ ଥିଲା । ଆଉ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଲୋକଙ୍କ ମନରେ ଉଠୁଥିବା ସନ୍ଦେହକୁ ଦୂର କରିବାକୁ ଚେଷ୍ଟା କରିଛନ୍ତି ବିଏମସି କମିସନର

କରୋନାକୁ ନେଇ ଅଧିକ ପ୍ରଭାବିତ ହୋଇଥିବା ଗଂଜାମ ଜିଲ୍ଲାର ପରିସ୍ଥିତି ସୁଧାରିବା ପାଇଁ ଅଂଟା ଭିଡିଥିଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ନ୍ୟୁଜ ମେକରରେ ଯୋଗ ଦେଇ ସେ କହିଛନ୍ତି, କରୋନା ବିରୋଧୀ ଲଢ଼େଇରେ କେମିତି ସଫଳ ହେଲା ଗଂଜାମ ମଡେଲ । କରୋନା ମୁକାବିଲା କ୍ଷେତ୍ରରେ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦେଇ ଦିନରାତି ଏକ କରି ଦେଇଥିବା ଆରଏମଆରସିର ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି ବଖାଣିଛନ୍ତି କେମିତି କାମ ସାରି ଘରକୁ ଫେରିବା ବେଳକୁ ରାତି ୩ଟା ବାଜି ଯାଉଥିଲା ।

କରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସମ୍ କୋଭିଡ ହସପିଟାଲ ଓ ଅଶ୍ୱିନୀ କୋଭିଡ୍ ହସପିଟାଲର ପଛରେ ଥିବା ଦୁଇ ବ୍ୟକ୍ତିତ୍ୱ ସାମିଲ ହୋଇ କହିଥିଲେ ସେମାନଙ୍କ ଅନୁଭୂତି ।ଏହାବାଦ୍ ମହାମାରୀ ପ୍ରଭାବରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପର୍ଯ୍ୟଟନ କ୍ଷେତ୍ର । ପରବର୍ତୀ ସମୟରେ କିପରି ଏହାର ପୁନରୁଦ୍ଧାର କରାଯାଇପାରିବ, କେତେ ରହିଛି ସମ୍ଭାବନା, ଏ ସଂପର୍କରେ ମତ ରଖିଥିଲେ, ଓଡ଼ିଶାର ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ।

ସେପଟେ ପ୍ରତିକୂଳ ସ୍ଥିତିରେ ନିଜ କର୍ତବ୍ୟ ସଂପାଦନ କରି ଚର୍ଚ୍ଚାକୁ ଆସିଥିବା ମାଲକାନଗିରିର ମଲାଲା କୁସୁମଣୀ ଖିଲ, ସ୍ୱାଭିମାନ ଅଂଚଳର ଅଙ୍ଗନବାଡି କର୍ମୀ ପ୍ରମିଳା ପେଲମେଲ ଓ ହେମଲତା ଶିଶା ଏବଂ କରୋନା ସମୟରେ ପରିତ୍ୟକ୍ତ ମରଶରୀରକୁ ଦାହ ସଂସ୍କାର କରି ମାନବିକତାର ପରିଚୟ ଦେଇଥିବା ଭଂଜନଗରର ୪ ସାମ୍ବାଦିକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଛି ।