କନକ ବ୍ୟୁରୋ : ଏ ହେଉଛି ଅନଲାଇନ ବାଇକ ଚାଳକଙ୍କ ଅବସ୍ଥା । କରୋନା ପାଇଁ ଉଜୁଡି ଗଲାଣି ଜୀବିକା । ହାତ ବାନ୍ଧି ବସିଲେଣି ସେମାନେ । ‘ଦିନକୁ ୩୦ରୁ ୪୦ଟି ଭଡ଼ା ମିଳି ଯାଉଥିଲା । ଭଡ଼ା ପିଛା ଅତି କମ୍ରେ ୪୦ ଟଙ୍କା ମିଳିଗଲେ ବି କମ୍ପାନି ତା’ ପଇସା ରଖି ଆମକୁ ଅତି କମ୍ରେ ହଜାରେରୁ ୧୨ଶ’ ଟଙ୍କା ଦେଉଥିଲା । ତେଣୁ ୫ ଦିନ କାମ ନ କଲେ ବି ତେଲ ଖର୍ଚ୍ଚ ଛାଡ଼ି ମାସକୁ ଅତି କମ୍ରେ ୨୨ରୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେଉଥିଲା । ଏହାବାଦ୍, କାମ ଅନୁଯାୟୀ କମ୍ପାନି ମାସକୁ ୭ ଶହରୁ ୮ଶହ ଟଙ୍କା ପର୍ଯ୍ୟନ୍ତ ଅଲଗା କମିସନ୍ ଦେଉଥିଲା । କିନ୍ତୁ ଦି’ ବର୍ଷ ହେଲାଣି, ଏ କରୋନା ଆସି ହନ୍ତସନ୍ତ କରୁଛି ।
ମାସେ ହେଲାଣି ବେପାର ଠପ୍; ସରକାରଙ୍କ ନିୟମାବଳି ପାଳନ କରି ଗାଡ଼ି ଚଳାଇଲେ ବି କୋଉ ଲୋକ ଆସୁଛନ୍ତି ଯେ ବେପାର ହେବ ? ମୋବାଇଲ୍ ସ୍କ୍ରିନ୍କୁ ଦେଖି ଦେଖି ଦିନ ବିତିଯାଉଛି ବାଇକ ଚାଳକଙ୍କ ସମୟ, ଦିନକୁ ୫ଟା କଲ୍ ମିଳିବା ବି କଷ୍ଟକର। ଏମିତି ଆଉ ବେଶି ଦିନ ତିଷ୍ଠି ହେବନି ବୋଲି ଚିନ୍ତାରେ ସେମାନେ । ଗାଁ ଛାଡି ଆସି ବାହାରେ ରହି କାମ କରି କିଛି ରୋଜଗାର କରିବା ଆଶାରେ ଆସିଥିଲେ ।’ ହେଲେ କରୋନାର ଦ୍ବିତୀୟ ଲହର ଖାଲି ଆକ୍ରାନ୍ତଙ୍କୁ ମାରୁନି, ଅନେକ ଅଣ-ଆକ୍ରାନ୍ତଙ୍କ ଜୀବିକା ଛଡ଼ାଇ କଲବଲ କରୁଛି ।
ସୂଚନା ଅନୁଯାୟୀ, ଓଲା, ଉବେର୍ ଭଳି କମ୍ପାନି ରାଜଧାନୀରେ କ୍ୟାବ୍ ସେବା ପ୍ରଦାନ କରି ସଫଳତା ପାଇବା ପରେ ଦୀର୍ଘ ଦିନ ହେଲା ଏମିତି ବାଇକ୍ ସେବା ଆରମ୍ଭ କରିଛନ୍ତି । ଏଥିରେ ‘ରାପିଡୋ’ ଭଳି ମଧ୍ୟ ଆଉ କିଛି ସଂସ୍ଥା ସାମିଲ ହୋଇଗଲେ । ଜଣିକିଆ ଲୋକ କାର୍ରେ ଯାଇ ଅଧିକ ଭଡ଼ା ଗଣିବା ଅପେକ୍ଷା ବାଇକ୍ରେ ଆରାମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଖୁବ୍ କମ୍ ଭଡ଼ାରେ ଯାଇପାରିବ । ତେଣୁ ଏହି ସେବା ଆରମ୍ଭ ହେବା ପରେ ନିଜର ବାଇକ୍ ଥିବା ଅନେକ ଯୁବପିଢ଼ି ଏଥିରେ ସାମିଲ ହୋଇଗଲେ । ବିଶେଷକରି ଗାଁରୁ ଭୁବନେଶ୍ବର ଆସି ଚାକିରି ଖୋଜୁଥିବା କିମ୍ବା ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବପିଢ଼ି ଏଥିରେ ନିଜକୁ ପଞ୍ଜୀକୃତ କରାଇଦେଲେ ।
ବେଶ୍ ଭଲ ଦି’ ପଇସା ରୋଜଗାର ହେଉଥିବାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହାକୁ ଜୀବିକା ଭାବେ ମଧ୍ୟ ବାଛି ନେଲେ । ଅନ୍ତତଃ ଚାକିରିଟିଏ ନ ମିଳିବା ଯାଏ ପରିବାର ଉପରେ ବୋଝ ହେବେନି, ନିଜ ଖର୍ଚ୍ଚ ନିଜେ ତୁଲାଇ ପାରିବେ । ତେବେ କରୋନା ଏବେ ସେମାନଙ୍କ ପାଇଁ କଣ୍ଟା ସାଜିଛି । ଗତବର୍ଷ ଲକ୍ଡାଉନ୍, ସଟ୍ଡାଉନ୍ ବେଳେ ଏମିତି ପରିସ୍ଥିତି ହେଲା ଯେ ଦିନ ମାସ ମାସ ଧରି ଏମାନେ ଘରେ ହାତବାନ୍ଧି ବସିଲେ । ଏ ବର୍ଷ ବି କରୋନା ପୁଣି ଫେରି ସେମାନଙ୍କ ବାଟ ଉଗାଳିଲାଣି । ତେଣୁ ସେମାନେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି ।