ନିୟମଗିରିର ସପୁରୀ ଚାଷ ଉପରେ କରୋନା ମାଡ । ବିକ୍ରି ହୋଇପାରୁନି ଅମଳ ଫସଲ । ଅଭାବୀ ବିକ୍ରିର ଲାଭ ଉଠାଉଛନ୍ତି ଦଲାଲ 

79

କନକ ବ୍ୟୁରୋ: ନିୟମଗିରିର ବିରଳ ଆଦିମ ଜନଜାତିଙ୍କୁ ଏବେ କରୋନା ଛାଟ  । ନିୟମଗିରିରେ ଉତ୍ପାଦିତ ସେମାନଙ୍କ ସପୁରୀ ବିକ୍ରି ହେବାରେ ଅସୁବିଧା ଯୋଗୁଁ ଅଭାବୀ ବିକ୍ରିର ଆଶଙ୍କା ସୃଷ୍ଟି ହେଉଛି । ଯାହାର ଫାଇଦା ନେଉଛନ୍ତି ଅସାଧୁ ବ୍ୟବସାୟୀ ।

ନିୟମଗିରିର ସପୁରୀ ଚାଷକୁ କରୋନା ମାଡ  । ରାୟଗଡ଼ା ଜିଲ୍ଲାର ମୁନିଗୁଡା,ବିଷମକଟକ ଓ କଲ୍ୟାଣସିଙ୍ଗପୁର ବ୍ଲକରେ ଥିବା ନିୟମଗିରି ପାହାଡରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ ବର୍ଷ ବର୍ଷ ଧରି ସପୁରୀ ଚାଷ କରିଆସୁଛନ୍ତି । ନିୟମଗିରିର ଜଳବାୟୁ ଓ ଅନୁକୂଳ ମାଟି ଯୋଗୁଁ ପ୍ରତିବର୍ଷ ନିୟମଗିରିରୁ ଶହଶହ ଟନ ସପୁରୀ ଉତ୍ପାଦିତ ହୋଇଥାଏ, ଆଉ ଏହି ସପୁରୀକୁ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ପରି ବାହାର ରାଜ୍ୟକୁ ଟ୍ରେନ୍ ଯୋଗେ ରପ୍ତାନି ହୋଇଥାଏ ।

ହେଲେ କରୋନା ସ୍ଥିତି ପାଇଁ ଚଳିତ ବର୍ଷ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ଯୋଗୁଁ ବାହାର ରାଜ୍ୟକୁ ସପୁରୀ ପଠାଯାଇ ପାରୁ ନାହିଁ  । ଫଳରେ ଏହିସବୁ ସପୁରୀ ଚାଷୀ ବାଧ୍ୟ ହେଉଛନ୍ତି ନିଜ ଫସଲକୁ କମ ଦରରେ ବିକ୍ରି କରିବାକୁ । ରାଜ୍ୟ ସରକାରଙ୍କ ଦ୍ୱାରା ଆଦିବାସୀ ବଜାର ଓ ଖାଦ୍ୟ ପ୍ରକ୍ରିୟା କରଣ ପାଇଁ ଯୋଜନା ସତ୍ୱେ ଏହି ଡଙ୍ଗରରିଆ ଚାଷୀଙ୍କ ସମସ୍ୟା ଯାଇନି, ଆଉ ଏହାର ଫାଇଦା ନେଉଛନ୍ତି ବାହାର ରାଜ୍ୟର ବ୍ୟବସାୟୀ ଓ ଦଲାଲ   । କିନ୍ତୁ କ୍ଷତି ସହୁଛି ଚାଷୀ, ନିଜ ଫସଲର ଉଚିତ ମୂଲ୍ୟ ପାଇପାରୁ ନାହାନ୍ତି  ।

କରୋନା କେବଳ ଯେ ଡଙ୍ଗାରିଆଙ୍କୁ ପ୍ରଭାବିତ କରିଛି ତାହା ନୁହଁ ନିୟମଗିରିର ସ୍ଥାନୀୟ ବ୍ୟବସାୟୀ ମଧ୍ୟ ସପୁରୀ ବ୍ୟବସାୟ କରିବାରୁ ବଂଚିତ ହେଉଛନ୍ତି । ତେବେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା, ଡିକେଡିଏ ଏହି ସମସ୍ୟା ପ୍ରତି ନଜର ରଖିଛି । ଆଗାମୀ ଦିନରେ ଓରମାସ ଓ ଅନ୍ୟାନ୍ୟ ବ୍ୟବସାୟୀ ସଂଗଠନ ସହ ମିଶି ଡଙ୍ଗରିଆଙ୍କ ସପୁରୀ ବିକ୍ରିର ସୁବ୍ୟବସ୍ଥା କରାଯିବ ବୋଲି ଡିକେଡିଏ ପକ୍ଷରୁ କୁହାଯାଇଛି ।