କେନ୍ଦୁଝର ଜିଲ୍ଲା କେ. ବାଲିପାଳ ପଞ୍ଚାୟତ : ଏମିତି ଏକ ପଞ୍ଚାୟତ, ଯେଉଁଠି ପଶିପାରିନି କରୋନା

197

କନକ ବ୍ୟୁରୋ : ମହାମାରୀ କରୋନା ଏବେ ଗାଁ ମୁହାଁ ହୋଇଥିବାରୁ ସରକାରଙ୍କ ଚିନ୍ତା ବଢିଯାଇଛି । ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଭିତୀଭୂମି ଦୁର୍ବଳ ଥିବାରୁ ସଂକ୍ରମଣ ରୋକିବାକୁ ସରକାର ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ହେଲେ ଏମିତି ଏକ ପଂଚାୟତ ରହିଛି, ଯାହାକୁ ଆଜିଯାଏଁ ଛୁଇଁ ପାରିନି କରୋନା । ବଣ ପାହାଡ ଘେରା ଆଦିବାସୀ ବହୁଳ ପଂଚାୟତର ସୁରକ୍ଷା ବଳୟକୁ ଭେଦ କରିପାରି ନାହିଁ ମହାମାରୀ ।

ବଡକଥା ହେଉଛି, କେନ୍ଦୁଝର ଜିଲ୍ଲାର ୩୧ଟି ପଂଚାୟତରୁ ୩୦ଟି ଏବେ କରୋନା କବଳିତ । ହେଲେ ଏକମାତ୍ର ପଂଚାୟତ କେ. ବାଲିପାଳ ପାଖ ମାଡିନାହିଁ ମହାମାରୀ କରୋନା । ଲୋକଙ୍କ ଭିତରେ ସଚେତନତା ହିଁ ଆଜିଯାଏ ଏହି ପଂଚାୟତକୁ କରୋନା ମୁକ୍ତ କରି ରଖିପାରିଛି । ଯାହା ଅନ୍ୟ ପଂଚାୟତଗୁଡିକ ପାଇଁ ଉଦାହରଣ ପାଲଟିଛି । ଏହି ପଂଟାୟତରେ ୭ଟି ଗାଁରେ ପ୍ରାୟ ୫ ହଜାରରୁ ଅଧିକ ଲୋକ ରୁହନ୍ତି । ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଏମାନେ ନିର୍ଭର କରନ୍ତି । ଚାଷବାସ ଉପରେ ନିର୍ଭର କରନ୍ତି । ଏମାନେ କେମିତି ସଚେତନ ତାହା, କେତୋଟି ଉଦାହରଣରୁ ସ୍ପଷ୍ଟ ହେଉଛି ।

ପଂଚାୟତ କାର୍ଯ୍ୟାଳୟକୁ ଭତା ନେବାପାଇଁ ଆସୁଥିବା ହିତାଧିକାରୀ ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ଧାଡିରେ ଆସି ଭତା ନେଉଛନ୍ତି । ସେହିପରି ଗାଁ ବାହାରେ କାମ କରୁଥିବା ଲୋକ ଘରକୁ ଫେରିଲେ ସେମାନଙ୍କୁ ୭ ଦିନ ସଂଗରୋଧରେ ରଖାଯାଉଛି । ହେଲେ ବାହାର ଲୋକଙ୍କୁ ଗାଁରେ ପୁରାଇ ଦେଉନାହାନ୍ତି । ଗାଁ ଗାଁରେ ଥିବା କଲ୍ୟାଣ ସମିତି ଏହାକୁ ସୁନିଶ୍ଚିତ କରୁଛି । ସରପଂଚ, ଆଙ୍ଗନବାଡି କର୍ମୀ ଓ ଆଶାକର୍ମୀ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ଏବଂ ଲୋକେ ତାହାକୁ ମାନୁଛନ୍ତି ମଧ୍ୟ ।