କନକ ବ୍ୟୁରୋ : ଓଡ଼ିଶାରେ କରୋନା ଜନିତ ମୃତ୍ୟ ହାର ଜାତୀୟ ହାରଠାରୁ କମ୍ ରହିଛି। ଜାତୀୟସ୍ତରରେ କରୋନା ମୃତ୍ୟୁ ହାର ୧.୭୦ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୦.୪୩ ପ୍ରତିଶତ ରହିଛି। ଏପରିକି ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ତାଲିକାରେ ଓଡ଼ିଶା ତଳଆଡ଼ୁ ତୃତୀୟ ସ୍ଥାନରେ ରହିଛି। କେବଳ କେରଳ ଓ ଆସାମ ତାଲିକାର ସବା ତଳେ ରହିଛନ୍ତି। ଏଥିରୁ ରାଜ୍ୟରେ କରୋନା ଜନିତ ମୃତ୍ୟୁର ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ବେଶ୍ ଭଲ ରହିଥିବା ସ୍ପଷ୍ଟ ହୋଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଯୋଗୁଁ ୫୬୯ଜଣ ପ୍ରାଣ ହରାଇଛନ୍ତି। କେବଳ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨ଶହରୁ ଅଧିକ ମୃତ୍ୟୁ ହୋଇଛି। ଏପରିକି ରାଜ୍ୟର ୩ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ କରୋନା ମୃତ୍ୟୁ ହୋଇନାହିଁ। କରୋନା ମୃତ୍ୟୁକୁ କମାଇବା ଲାଗି ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିରେ ଆଗରେ ରହିଛି ପ୍ଲାଜ୍ମା ଚିକିତ୍ସା। ୪୫ଦିନ ଭିତରେ ରାଜ୍ୟରେ ୬ଟି ପ୍ଲାଜ୍ମା ବ୍ୟାଙ୍କ ପ୍ରତିଷ୍ଠା ହୋଇ ୬୯୨ ଗୁରୁତର ରୋଗୀଙ୍କୁ ପ୍ଲାଜ୍ମା ପ୍ରଦାନ କରାଯାଇଛି। କରୋନାରୁ ସୁସ୍ଥ ହୋଇଥିବା ୫୦୬ ବ୍ୟକ୍ତିଙ୍କଠାରୁ ୧୦୦୮ ପ୍ଲାଜ୍ମା ସଂଗ୍ରହ କରାଯାଇଛି।
ସେହିପରି ରାଜ୍ୟରେ କୋଭିଡ୍ ନମୁନା ପରୀକ୍ଷାକୁ ବୃଦ୍ଧି କରାଯାଇଛି। ଜୁଲାଇ ମାସରେ ଦିନକୁ ୧୦ହଜାର ନମୁନା ପରୀକ୍ଷା ହେଉଥିବା ବେଳେ ଅଗଷ୍ଟରେ ଏହା ୫୦ହଜାର ଟପିଛି। ଯାହାଫଳରେ ଜୁଲାଇରେ ଟେଷ୍ଟ ପଜିଟିଭ୍ ରେଟ୍ (ଟିପିଆର) ୧୦.୭୮ ପ୍ରତିଶତ ଥିବା ବେଳେ ଏବେ ତାହା ୬.୦୧ ପ୍ରତିଶତକୁ ଖସି ଆସିଛି। ବିଶେଷକରି ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ ସଂକ୍ରମଣରେ ଦ୍ରୁତ ହ୍ରାସ ଘଟିଛି। ଜୁଲାଇ ୨୩ତାରିଖରେ ଗଞ୍ଜାମରେ ସର୍ବାଧିକ ୭୪୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ଏହା ମାତ୍ର ୬୯କୁ ଖସି ଆସିଛି। ଜିଲ୍ଲାରେ ସୁସ୍ଥ ହାର ୯୪.୫ ପ୍ରତିଶତରେ ପହଞ୍ଚିଯାଇଛି। ସେହିଭଳି ରାଜ୍ୟରେ ସୁସ୍ଥ ହାର ମଧ୍ୟ ୭୫ ଭାଗରୁ ଅଧିକ ରହିଛି।
Follow Us