କରୋନା ପଜିଟିଭ୍ ଝିଅଙ୍କ ସହ କୋଭିଡ୍ ହସ୍ପିଟାଲରେ ରହିବା ପରେ ବି ମା’ଙ୍କୁ ଛୁଇଁପାରିଲାନି ଭୁତାଣୁ । କରୋନାକୁ ହରାଇଲା କଟକର ସାହାସୀ ପରିବାର, କୁନି ଝିଅ କହିଲେ, କରୋନାକୁ ଡରିବାର ନାହିଁ, ଲଢ଼ିବାର ଅଛି ।

1,652

କନକ ବ୍ୟୁରୋ : ୭-୮ ଦିନ ହେଲା ମହାମାରୀର ରୂପ ନେଇ କରୋନା ସାରା ବିଶ୍ୱବାସୀଙ୍କୁ ଆତଙ୍କିତ କରିଆସିଛି । ହେଲେ କରୋନା କାହାକୁ ଆକ୍ରାନ୍ତ କରିବ, କାହାକୁ ଛାଡିଦେବ, ଆଜି ବି କହିବା ମୁସ୍କିଲ୍ । କଟକର ଏକ ପରିବାରର ଏହି କରୋନା କାହାଣୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍ୱାମୀ ଓ ଝିଅ କରୋନାରେ ଆକ୍ରାନ୍ତ ହେଲେ, ସେମାନଙ୍କ ସେବା କରିବା ସହ କୋଭିଡ୍ ହସପିଟାଲକୁ ଝିଅକୁ ଏକା ନଛାଡି ତା’ ସହ ରହିଥିଲେ ମାଆ । କରୋନା ରୋଗୀଙ୍କ ସହ ଗୋଟିଏ ୱାର୍ଡରେ ୧୦ ଦିନରୁ ଅଧିକ ରହିଲେ, ହେଲେ ଶେଷ ପର୍ଯ୍ୟନ୍ତ ତାଙ୍କୁ ଛୁଇଁପାରିଲା ନାହିଁ କରୋନା ।

ଏ ହେଉଛି କୋଭିଡ୍ ହସପିଟାଲର ସାଂକେତିକ ଚିତ୍ର । ଗୋଟିଏ ବେଡରେ ମାଆ ଓ ତାଙ୍କର କୁନି ଝିଅ । ଝିଅକୁ କରୋନା ପଜିଟିଭ୍, ହେଲେ ଏକୁଟିଆ ଝିଅକୁ ହସପିଟାଲ ଛାଡିବାକୁ ନାରାଜ । ଝିଅ ସହ ଯିବା ପାଇଁ ମାଆ ଜିଦ୍ ପରେ ଶେଷରେ ବାଧ୍ୟ ହୋଇ ରାଜି ହୋଇଥିଲା ପ୍ରଶାସନ । ଆଉ ଝିଅ ପାଇଁ କରୋନା ରୋଗୀଙ୍କ ଗହଣରେ ଗୋଟିଏ ୱାର୍ଡରେ ରହିଥିଲେ ମାଆ । ଗୋଟିଏ ଦିନ କି ଦୁଇ ଦିନ ନୁହେଁ ୧୦ ଦିନରୁ ଅଧିକ ରହିଥିଲେ । ଝିଅ ସୁସ୍ଥ ହୋଇ ଘରକୁ ଫେରିଲେ, ଶେଷ ପର୍ଯ୍ୟନ୍ତ ମାଆକୁ ଛୁଇଁ ପାରିଲାନି କରୋନା ।

ସ୍ୱାମୀ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କର ୯ ବର୍ଷ ଝିଅ ନାଦିଲାଙ୍କ ସ୍ୱାବ ରିପୋର୍ଟ ପଜିଟିଭ୍ ଆସିଥିଲା । ହେଲେ ହୁସ୍ନ ଜାହାନଙ୍କ ରିପୋର୍ଟ ନେଗେଟିଭ୍ ଥିଲା । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି କୋଭିଡ୍ ହସପିଟାଲରେ ଝିଅ ସହ ରହିଲେ, ଗୋଟିଏ ବେଡରେ ଶୋଉଥିଲେ । ୱାର୍ଡ ଯାକ କରୋନା ରୋଗୀ, ସମସ୍ତଙ୍କ ସହ ସେ ମିଶୁଥିଲେ, ହେଲେ ଶେଷ ପର୍ଯ୍ୟନ୍ତ କରୋନା ଭଳି ସଂକ୍ରମକ ରୋଗରୁ ଦୂରରେ ରହିଥିଲେ ହୁସ୍ନ ଜାହାନ ।

ଝିଅ ନାଦିଲାଙ୍କୁ ଯେଭଳି ଚିକିତ୍ସା କରାଯାଉଥିଲା, ମାଆ ହୁସ୍ନ ଜାହାନଙ୍କର ବି ଡାକ୍ତରମାନେ ସେହିଭଳି ଚିକିତ୍ସା କରୁଥିଲେ । ତାଙ୍କର ରୋଗ ପ୍ରତିରୋଧ ଶକ୍ତି ହେଉ କିମ୍ବା ଭଗବାନଙ୍କ ଆର୍ଶୀବାଦ, ସ୍ୱାମୀ ଓ ଝିଅଙ୍କ ନିକଟରେ ରହି ସେବା କରୁଥିଲେ ବି ସେ ବର୍ତି ଯାଇଛନ୍ତି ଏହି ଭୟାନକ ମହାମାରୀରୁ ।

କରୋନାକୁ ହରାଇ ପାରିଥିବା ହୁସ୍ନ ଜାହାନ କୁହନ୍ତି, ରୋଗ ସହ ଲଢ଼େଇ କରିବା, କିନ୍ତୁ ରୋଗୀଙ୍କୁ ସହାନୁଭୂତି ଦେଖାଇବା । ଏପଟେ କୁନିଝିଅ ନାଦିଲା କହିଛନ୍ତି କରୋନାକୁ ଡରିବା ନାହିଁ, କରୋନା ସହ ଲଢ଼ିବା ।

ଗୋଟିଏ ପଟେ କରୋନା ଭୟ, ଅନ୍ୟପଟେ ମାଆର ମମତା । ଶେଷରେ ମାଆର ମମତା ଆଗରେ ହାରିଯାଇଛି କରୋନା । ପୂରା ପରିବାର ଏବେ କରୋନାରୁ ମୁକ୍ତ । ପ୍ରକୃତରେ କରୋନା ଏପରି ଏକ ମହାମାରୀ କାହାକୁ ଆକ୍ରାନ୍ତ କରିବ, କାହାକୁ କରୋନା ସ୍ପର୍ଶ କରିପାରିବନି, ତାହା କହିବା ଆଜି ବି ମୁସ୍କିଲ ।