କରୋନା ବଦଳାଇ ଦେଲା କଳାକାରଙ୍କ ଭୂମିକା । କେଉଁଠି ରାସ୍ତାକଡ଼ରେ ଯାତ୍ରା କଳାକାର ବିକୁଛନ୍ତି ଶାଗ ଓ ଛତୁ, ଆଉ କେଉଁଠି ଚିକେନ୍ ଦୋକାନ ଖୋଲି ପରିବାର ପୋଷୁଛନ୍ତି କଣ୍ଠଶିଳ୍ପୀ ।
କନକ ବ୍ୟୁରୋ : କରୋନା ବଦଳାଇ ଦେଲା କଳାକାରର ଭୂମିକା । ଯେଉଁ କଳାକାର ଦିନେ ମଞ୍ଚ ଉପରେ ଅଭନୟ କରୁଥିଲା, ସେ ଆଜି ରାସ୍ତା କଡରେ ଉଠା ଦୋକାନୀ ପାଲଟି ଯାଇଛି । କିଏ ଶାଗ ଓ ଛତୁ ବିକ୍ରି କରୁଛି ତ ଆଉ କିଏ ରାସ୍ତା କଡା ଚିକେନ ବିକ୍ରି କରୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏବେ ସେ ଝିଲିମିଲି ଆଲୁଅ ନାହିଁ, କି ସେ ରଙ୍ଗୀନ୍ ପରିବେଶ ନାହିଁ । ସ୍ଥିତି ବଦଳିଯାଇଛି, କଳାକାରର ଭୂମିକା ବଦଳି ଯାଇଛି । ସେଦିନର ମାଇକେଲ ବାବୁ ଓରଫ୍ ଏମଡି ଫରୋଜ୍ ପେଟ ପାଟଣା ପାଇଁ ଏବେ ମିସ୍ତ୍ରୀ ଭାବେ କାମ କରୁଛନ୍ତି । ପରିବାରର ବୋଝ ତା ଉପରେ ପୁଣି ରୋଗୀଣା ମା’ଙ୍କ ଚିକିତ୍ସା ଖର୍ଚ୍ଚ । ମେଲୋଡିରେ ଡ୍ରମ୍ ପ୍ୟାଡ୍ ଆର୍ଟିଷ୍ଟ ଭାବେ କରୁ କରୁଥିବା ଫିରୋଜ୍ ଏବେ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି ।
ଜୀବନର ମଂଚରେ କେତେବେଳେ କାହାର ଭୂମିକା ବଦଳି ଯିବ କିଏ କହିପାରିବ । କଟକର ଫିରୋଜଙ୍କ ଭଳି କାମାକ୍ଷାନଗରର ପ୍ରତାପ ନାୟକ ମଧ୍ୟ ଏବେ ଭିନ୍ନ ଏକ ଭୂମିକାରେ ନଜର ଆସୁଛନ୍ତି । ଯିଏ ଦିନେ ଯାତ୍ରା ମଂଚରେ ଗୀତ ଗାଇ ଦର୍ଶକଙ୍କୁ ମତୁଆଲା କରିଦେଉଥିଲେ, ସିଏ ଏବେ ପେଟପାଟଣା ପାଇଁ ରାସ୍ତାକଡ଼ରେ ଚିକେନ୍ କାଟୁଛନ୍ତି । ୭ରୁ ଅଧିକ ଯାତ୍ରା ପାର୍ଟିରେ ଗୀତ ଗାଇଥିବା ପ୍ରତାପ, କୁକୁଡ଼ା ଦୋକାନକୁ ଜୀବିକା ଅର୍ଜନର ମାଧ୍ୟମ ବାଛି ନେଇଛନ୍ତି ।
ସେହିଭଳି ବାଲେଶ୍ୱର ଜିଲ୍ଲା ସୋର ବାଗୁଡ଼ି ଗାଁର ସୁବାଷ ଜେନା ଏବେ ରାସ୍ତାକଡ଼ରେ ଶାଗ, ଛତୁ ବିକ୍ରି କରୁଛନ୍ତି । କରୋନା ତାଙ୍କୁ ଆଜି ରାସ୍ତାକଡ଼ରେ ବସାଇ ଦେଇଛି । ସୁବାଷ ଓ ତାଙ୍କ ପତ୍ନୀ ଏକାଧିକ ଯାତ୍ରାପାର୍ଟିରେ ଅଭିନୟ କରିଛନ୍ତି । ଶେଷଥର ପାଇଁ ବାଘାଯତୀନ ଗଣନାଟ୍ୟରେ ଅଭିନୟ କରୁଥିଲେ । ହେଲେ କରୋନା ଆସିଲା ସବୁ ଆଶା ଓ ଆକାଂକ୍ଷାଙ୍କୁ ଧୁଳିଶାତ କରି ଚାଲିଗଲା । ବାଧ୍ୟବାଧକତାରେ ସୁବାଷ ସିନା ବ୍ୟବସାୟ କରୁଛନ୍ତି । କିନ୍ତୁ ଆଖି ବନ୍ଦ କରିଦେଲେ ଆଜି ବି ଆଖି ଆଗକୁ ଚାଲି ଆସୁଛି, ଯାତ୍ରା ଦୁନିଆର ସେଇ ରଙ୍ଗୀନ ମଂଚ ।