ଦେଶରେ ପୁଣି ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୪୫ ହଜାରରୁ ଅଧିକ ଆକ୍ରାନ୍ତ । କେବଳ କେରଳରେ ୧୪ ହଜାର ଟପିଲା ସଂକ୍ରମଣ ।

227

କନକ ବ୍ୟୁରୋ: କରୋନା ସଂକ୍ରମଣ ମାମଲା ଧିରେ ଧିରେ ତଳକୁ ଖସୁଥିବାବେଳେ ଗତ ୨ ଦିନ ହେବ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି । ଗତ ୨ ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରିକି ସୁସ୍ଥ ହେଉଥିବା ରୋଗୀଙ୍କ ଠାରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବା ରିପୋର୍ଟ ହୋଇଛି । ଗତ ୫୫ ଦିନ ଭିତରେ ପ୍ରଥମ ଥର ଏପରି ଦେଖିବାକୁ ମିଳିଛି । ଯେଉଁଥିରେ ସୁସ୍ଥ ସଂଖ୍ୟା ୪୪ ହଜାର ରହିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାରରୁ ଅଧିକ ରହିଛି । ଆଉ ଦେଶରେ ସବୁଠାରୁ ଅଧିକ ସଂକ୍ରମଣ ମାମଲା କେରଳରେ ଚିହ୍ନଟ ହୋଇଛି ।

କେରଳରେ କରୋନା ସଂକ୍ରମଣ ହାର ଏବେ ଚିନ୍ତାର ବିଷୟ ପାଲଟିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫,୬୦୦ ମାମଲା ଚିହ୍ନଟ ହୋଇଛି । ସେହିପରି ମଙ୍ଗଳବାର ୧୪,୩୭୩ କରୋନାର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୨୭ ଦିନ ଭିତରେ ରାଜ୍ୟରେ ପୁଣି ସଂକ୍ରମଣ ସର୍ବାଧିକ ସ୍ତରରେ ପହଁଚିଛି । ପବ୍ଲିକ୍ ହେଲଥ ଏକ୍ସପର୍ଟଙ୍କ କହିବା କଥା କେବଳ ଲକଡାଉନ୍ କଟକଣା ଯଥେଷ୍ଟ ନୁହେଁ । ସଂକ୍ରମଣକୁ ବଢିବାରେ ରୋକିବାକୁ ହେଲେ ନିମ୍ନ ସ୍ତରର ଲୋକଙ୍କ ପାଖରେ ପହଁଚି ସେମାନଙ୍କୁ ସଚେତନ କରାଇବାକୁ ପଡିବ । ଗତ ସପ୍ତାହରେ କେରଳରେ ଦୈନିକ ୧୧ ହଜାରରୁ ଅଧିକ ମାମଲା ଚିହ୍ନଟ ହେଉଥିଲା । ମାତ୍ର ଚଳିତ ସପ୍ତାହର ସଂକ୍ରମଣ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇଦେଇଛି ।

କେରଳର ସଂକ୍ରମଣ ହାର ବଢିବା ସହ ସାରା ଦେଶର ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ଦେଶରେ ୪୫,୮୯୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ସୁସ୍ଥ ହୋଇ ଘରକୁ ଫେରିଥିବା ରୋଗୀଙ୍କ ସଂଖ୍ୟା ୪୪, ୨୯୧ । ଗତ ୫୫ ଦିନ ପରେ ପ୍ରଥମ କରି ସୁସ୍ଥ ହାର ଠାରୁ ଅଧିକ ରହିଛି ସଂକ୍ରମଣ ହାର । ଏହାରି ସହିତ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । କରୋନା ମହାମାରୀ ସହ ଲଢେଇ ପାଇଁ ଟୀକା ହିଁ ସବୁଠାରୁ ଶ୍ରେଷ୍ଠ ଅସ୍ତ୍ର ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଭାରତରେ ମହା ଟୀକାକରଣ ଅଭିଯାନ ଜୋର ସୋରରେ ଆଗେଇ ଚାଲିଛି । ବର୍ତ୍ତମାନ ସୁଦ୍ଧା ୩୬ କୋଟି ୪୮ ଲକ୍ଷରୁ ଅଧିକ ଲୋକ କରୋନା ଟିକା ନେଇ ସାରିଲେଣି ।