ଭୁବନେଶ୍ୱରରେ କମୁଛି କରୋନା, ହେଲେ କଟକରେ ବଢୁଛି ସଂକ୍ରମଣ । ଡାକ୍ତର କହିଲେ ୮ ଦିନ ହେଲା ରାଜଧାନୀରେ ଶୀର୍ଷ ଅତିକ୍ରମ କଲାଣି କରୋନା ।

733

କନକ ବ୍ୟୁରୋ : ସର୍ବାଧିକ ୪ ହଜାର ୩୩୦ ନୂଆ ଆକ୍ରାନ୍ତ ସହ ଆଜି ରାଜ୍ୟରେ ରେକର୍ଡ କରିଛି କରୋନା । ସର୍ବାଧିକ ଆକ୍ରାନ୍ତ ତାଲିକାରେ ଆଜିବି ଶୀର୍ଷରେ ରହିଛି ଖୋର୍ଦ୍ଧା । ତେବେ ଗତ କିଛି ଦିନ ହେଲା ଚିନ୍ତା ବଢାଇଛି କଟକ । ବିଶେଷଜ୍ଞ କହିଛନ୍ତି, ଗଂଜାମ ଓ ଭୁବନେଶ୍ୱର ପରେ ଏବେ କଟକ ଉପରେ ଅଧିକ ଧ୍ୟାନ ଦେବାକୁ ହେବ । ସେହିପରି ୫୦ରୁ ୬୦ ପ୍ରତିଶତ ଲୋକଙ୍କ ରୋଗ ପ୍ରତିରୋଧ ଶକ୍ତି ବଢିବା ପରେ ହିଁ ଭୂତାଣୁ ସଂକ୍ରମଣକୁ ରୋକାଯାଇପାରିବ ବୋଲି ବିଶେଷଜ୍ଞ କହିଛନ୍ତି ।

କମୁଛି ଖୋର୍ଦ୍ଧା, ବଢୁଛି କଟକ
ତାରିଖ                କଟକ            ଖୋର୍ଦ୍ଧା
୧୬ସେପ୍ଟେମ୍ବର      ୩୭୪           ୮୭୬
୧୭ସେପ୍ଟେମ୍ବର      ୩୮୯           ୬୪୭
୧୮ସେପ୍ଟେମ୍ବର      ୪୯୨           ୬୮୮
୧୯ସେପ୍ଟେମ୍ବର      ୪୯୧           ୬୬୩
୨୦ସେପ୍ଟେମ୍ବର      ୫୪୯           ୬୪୪

ଗତ ୫ ଦିନର କରୋନା ଗ୍ରାଫ ସ୍ପଷ୍ଟ କରୁଛି ଯେ, ସଂକ୍ରମଣ ଧିରେ ଧିରେ ଖୋର୍ଦ୍ଧା ଜିଲ୍ଲାରେ କମୁଛି ଏବଂ କଟକରେ ବଢିବାରେ ଲାଗିଛି । ଗଂଜାମ ପରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଖୋର୍ଦ୍ଧାରେ ହୁ ହୁ ହୋଇ ବଢିଚାଲିଥିଲା । ସେପ୍ଟେମ୍ବର ମାସର ପ୍ରଥମ ଦୁଇ ସପ୍ତାହରେ ଶୀର୍ଷରେ ଥିଲା ଖୋର୍ଦ୍ଧା ଏବଂ ଭୁବନେଶ୍ୱରର ସଂକ୍ରମଣ । ହେଲେ ଏବେ ଚିନ୍ତା ବଢାଇଲାଣି କଟକ ।

କାହିଁକି ବଢୁଛି କରୋନା ସଂକ୍ରମଣ ? କେବେ ନିୟନ୍ତ୍ରଣ ହେବ ଭୂତାଣୁ ? କେବଳ ଖୋର୍ଦ୍ଧା ଓ କଟକ ନୁହେଁ, ରାଜ୍ୟର ୧୦ରୁ ଅଧିକ ଜିଲ୍ଲାରେ ପ୍ରତିଦିନ ସଂକ୍ରମଣ ଶହେ ଉପରେ ରହୁଛି । ବିଶେଷଜ୍ଞଙ୍କ କହିବା ହେଉଛି, ମାସେରୁ ଦୁଇ ମାସ ମଧ୍ୟରେ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବ । ଏବଂ ୫୦ରୁ ୬୦ ପ୍ରତିଶତ ଲୋକଙ୍କ ରୋଗ ପ୍ରତିରୋଧ ଶକ୍ତି ବଢିବା ପରେ ହିଁ ଭୂତାଣୁ ସଂକ୍ରମଣକୁ ରୋକାଯାଇପାରିବ ।
ଏହାରି ଭିତରେ ଆଗାମୀ ଦୁଇ ମାସ ଅଧିକ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।