ଓମିକ୍ରନ ଭୟ ଭିତରେ ସ୍କୁଲ କଲେଜରେ ବ୍ୟାପୁଛି କରୋନା, କର୍ଣ୍ଣାଟକରେ ୬୯ ଛାତ୍ର ପଜିଟିଭ ଚିହ୍ନଟ

242

କନକ ବ୍ୟୁରୋ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଭାରତରେ ସର୍ବପ୍ରଥମେ କର୍ଣ୍ଣାଟକରୁ ଚିହ୍ନଟ ହୋଇଥିଲା । ଓମିକ୍ରନର ଭୟାବହତା ଭିତରେ ପୁଣି କର୍ଣ୍ଣାଟକର ୬୯ ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟର ଚିକମଗୁଲୁର ଜିଲ୍ଲାରେ ଥିବା ଏକ ନବୋଦୟ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ମିଶି ମୋଟ ୪୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ଶବମୋର୍ଗାର ଏକ ସ୍କୁଲରେ ୨୯ ଜଣ ଚିହ୍ନଟ ହୋଇଛନ୍ତି ।

ଶିବମୋର୍ଗାର ଡେପୁଟି କମିଶନର ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ଏକ ଘରୋଇ ନସିଂ ସ୍କୁଲରେ ୨୯ ଜଣ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ହେଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କ ଠାରେ କରୋନାର ଲକ୍ଷଣ ଦେଖାଯାଉ ନଥିଲା । ଅନ୍ୟପଟେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ହଷ୍ଟେଲ ପରିସରକୁ ସିଲ୍ କରାଯାଇଛି ।

ଅନ୍ୟପଟେ ଏଭଳି ଘଟଣା ପରେ ନସିଂ ସ୍କୁଲ ଆଖ ପାଖରେ ରହୁଥିବା ଲୋକମାନଙ୍କର ବି କରୋନା ଟେଷ୍ଟ କରାଯାଉଛି । କହିରଖୁ କି କରୋନା ସଂକ୍ରମଣର ଭୟାବହତା ଦେଖିବା ପରେ ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ।

କହିରଖୁ କି ଚଳିତ ସପ୍ତାହ ଆରମ୍ଭରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନରେ କର୍ଣ୍ଣାଟକର ଜଣେ ଲୋକ ସଂକ୍ରମିତ ହୋଇଥିଲେ । ଏହା ହିଁ ଭାରତର ପ୍ରଥମ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ରୋଗୀ ବୋଲି କୁହାଯାଇଥିଲା । ଏହାପରେ ଏବେ ଦେଶରେ ମୋଟ ୪ ଜଣ ଓମିକ୍ରନ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି ।