ରାଜ୍ୟରେ ଶୀର୍ଷକୁ ଛୁଇଁ ତଳମୁହାଁ ହେଉଛି କି କରୋନା ? କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଚିହ୍ନଟ ହେଲା ଓମିକ୍ରନର ସବ-ଭାରିଆଣ୍ଟ ।

212

କନକ ବ୍ୟୁରୋ : ସଂକ୍ରମଣ କମୁଛି, ହସ୍ପିଟାଲ ଉପରେ ଚାପ ମଧ୍ୟ ଯଥେଷ୍ଟ କମ ରହିଛି । ସେପଟେ ଦେଶରେ ବି ସଂକ୍ରମଣ ଗତ ୨୪ଘଣ୍ଟା ମଧ୍ୟରେ କମ ରହିଥିବା ବେଳେ ବିଶେଷଜ୍ଞ କହିଛନ୍ତି, ସତର୍କ ନହେଲେ ଆଗକୁ ଆହ୍ୱାନ ଆସିପାରେ । ରାଜ୍ୟରେ ଶୀର୍ଷକୁ ଛୁଇଁ ତଳମୁହାଁ ହେଉଛି କି କରୋନା ? କମୁଛି ସଂକ୍ରମଣ ସଂଖ୍ୟା, କମିଛି ସଂକ୍ରମଣ ହାର । ଗତ ତିନି ଦିନ ଧରି ରାଜ୍ୟରେ ୧୦ ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ୮୪୫କୁ ହ୍ରାସ ପାଇଛି ।

୧୮ ଜାନୁଆରୀରେ ରାଜ୍ୟରେ ୧୧ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ । ୧୯ ତାରିଖରେ ମଧ୍ୟ ଉପରମୁହାଁ ଥିଲା କରୋନା ମିଟର । କିନ୍ତୁ ୨୨ ଜାନୁଆରୀ ବେଳକୁ ଅର୍ଥାତ୍ ୫ ଦିନରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨ ହଜାରରୁ ଅଧିକ କମିଛି । ସଂକ୍ରମଣ ହାର ୧୨.୮୯ ପ୍ରତିଶତକୁ ଖସିଛି । ବିଶେଷଜ୍ଞ ଡାକ୍ତରଙ୍କ ଆକଳନ, ରାଜ୍ୟରେ କରୋନା ଶୀର୍ଷକୁ ଛୁଇଁ ସାରିବା ପରେ ତଳକୁ ଖସିବା ଆରମ୍ଭ କରିଛି । ଆଗାମୀ ୭ ଦିନ ଧରି ଯଦି ସଂକ୍ରମଣ କମିବ ତାହେଲେ ସ୍ଥିତି ପ୍ଲୋଟୋ ଷ୍ଟେଜକୁ ଆସିବ ଏବଂ କ୍ରମେ ତଳମୁହାଁ ହେବ କରୋନା ମିଟର ।

ଓଡ଼ିଶା କରୋନା ମିଟର
ତାରିଖ                        ସଂକ୍ରମଣ                       ଟେଷ୍ଟ                ସଂକ୍ରମଣ ହାର
୨୨ ଜାନୁଆରୀ             ୮,୮୪୫                 ୬୮, ୬୨୫              ୧୨.୮୯%
୨୧ ଜାନୁଆରୀ             ୯,୮୩୩                 ୭୪,୪୪୩               ୧୩.୨୦%
୨୦ ଜାନୁଆରୀ            ୧୦,୩୬୮               ୭୪,୨୩୪               ୧୩.୯୬%
୧୯ ଜାନୁଆରୀ            ୧୧,୬୦୭               ୬୯,୫୦୨               ୧୬.୭୦%
୧୮ ଜାନୁଆରୀ            ୧୧,୦୮୬               ୭୦,୯୯୦               ୧୫.୬୧%

ଚିହ୍ନଟ ହେଲା ଓମିକ୍ରନର ସବ୍-ଭ୍ୟାରିଆଣ୍ଟ ‘ବିଏ-୨’ । ‘ଭ୍ୟାରିଆଣ୍ଟ ଅଫ୍ ଇଣ୍ଟରେଷ୍ଟ’ କହିଲା ବ୍ରିଟେନ୍ । ଓମିକ୍ରନ ଭ୍ୟାରିଆଣ୍ଟ ପାଇଁ ସାରା ଦୁନିଆରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । କିନ୍ତୁ ମାର୍ଚ୍ଚ ମାସ ସୁଦ୍ଧା କରୋନା ପ୍ରକୋପ କମିବ ବୋଲି ଆକଳନ କରିଥିଲେ ଆଇସିଏମଆରର ବିଶେଷଜ୍ଞ । କିନ୍ତୁ ଏହାରି ଭିତରେ ବ୍ରିଟେନରେ ନୂଆ ଭ୍ୟାରିଆଣ୍ଟ ‘ବିଏ-୨’ ଚିହ୍ନଟ ହୋଇଛି । ଏହାକୁ ଭ୍ୟାରିଆଣ୍ଟ ଅଫ୍ ଇଣ୍ଟରେଷ୍ଟ ଘୋଷଣା କରିଛି । ଡେନମାର୍କରେ ଏହି ସଂକ୍ରମଣ ଦ୍ରୁତ ଗତିରେ ବଢୁଛି ।

ସେପଟେ ଦେଶରେ ମଧ୍ୟ କମିଛି ଦୈନିକ ସଂକ୍ରମଣ । ଗତକାଲି ତୁଳନାରେ ୯ ହଜାର ୫୫୦ କମିଛି କରୋନା ସଂକ୍ରମଣ । ୨୪ ଘଣ୍ଟା ଭିତରେ ୩ ଲକ୍ଷ ୩୭ ହଜାର ୭୦୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ହାର ରହିଛି ୧୭.୨୨ ପ୍ରତିଶତ ।