ଖସୁଛି ସଂକ୍ରମଣ ହାର, କୋହଳ ହେଉଛି କଟକଣା । ଦେଶରେ ଦ୍ରୁତ ଗତିରେ ହ୍ରାସ ପାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୭୦,୪୨୧ ନୂଆ ସଂକ୍ରମଣ ଚିହ୍ନଟ ।

129

କନକ ବ୍ୟୁରୋ: ଦିନକୁ ଦିନ ଦେଶରେ ଖସିବାରେ ଲାଗିଛି କୋଭିଡ୍ ସଂକ୍ରମଣ ମାମଲା । ଏପ୍ରିଲ ମାସ ପରେ ଏବେ ସବୁଠାରୁ କମ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଂଟାରେ ଦେଶରେ ୭୦ ହଜାର ୪୨୧ କରୋନା ସଂକ୍ରମଣ କେସ୍ ରେକର୍ଡ ହୋଇଛି । ଏହାରି ସହିତ ଦେଶରେ ମୋଟ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୨ କୋଟି ୯୫ ଲକ୍ଷ ୧୦ ହଜାର ୪୧୦ରେ ପହଁଚିଛି ।

ସେହିପରି ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧୦ ଲକ୍ଷରୁ ହ୍ରାସ ପାଇ ୯ ଲକ୍ଷ ୭୩ ହଜାର ୧୫୮ରେ ପହଁଚିଛି । ଦ୍ରୁତ ଗତିରେ ହ୍ରାସ ପାଉଥିବା କରୋନା ସଂକ୍ରମଣକୁ ନଜରରେ ରଖି ବିଭିନ୍ନ ରାଜ୍ୟରେ ତାଲାବନ୍ଦ କଟକଣାକୁ କୋହଳ କରାଯାଉଛି । ଦିଲ୍ଲୀରେ ଦୋକାନ, ବଜାର ସମେତ ସପିଂ ମଲ୍ ଗୁଡିକ ଖୋଲିବା ଆରମ୍ଭ କରିଛି ।

ଯେଉଁଠି ଗୋଟିଏ ପଟେ ସଂକ୍ରମଣ ହାର କମୁଛି, ସେଠାରେ କିନ୍ତୁ ମୃତ୍ୟୁ ସଂଖ୍ୟାରେ କୌଣସି ସୁଧାର ଦେଖିବାକୁ ମିଳିନାହିଁ । ମାରାତ୍ମକ ଭୂତାଣୁରେ ଗତ ୨୪ ଘଂଟାରେ ୩ ହଜାର ୯୨୧ଜଣଙ୍କ ମୃତ୍ୟୁ ହୋଇଛି । ଯାହା ଫଳରେ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୪ ହଜାର ୩୦୫ରେ ପହଁଚିଛି । ତେବେ ଭାରତରେ ସଂକ୍ରମଣ ହାର ଲଗାତାର ୨୧ ଦିନ ଧରି ୧୦ ପ୍ରତିଶତ ତଳେ ରହିଛି । ଦେଶରେ ଟୀକାକରଣ ପ୍ରକ୍ରିୟା ବି ଜୋର୍ ସୋରରେ ଆଗେଇ ଚାଲିଛି । ବର୍ତମାନ ସୁଦ୍ଧା ୨୫ କୋଟି୪୮ ଲକ୍ଷ ୪୯ହଜାର ୩୦୧ ଜଣ ବ୍ୟକ୍ତି କରୋନା ଟିକା ନେଇ ସାରିଲେଣି ।