ସତର୍କ ନହେଲେ ସଂକ୍ରମଣ ପୁଣି ବଢିବ । ବ୍ରିଟେନ, ଋଷର ଉଦାହରଣ ଦେଇ ବୁଝାଇଲେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ।

200

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଚାଲିଛି । କଟକଣା ମଧ୍ୟ କୋହଳ ହୋଇଛି । କିନ୍ତୁ ଏହି କୋହଳ କଟକଣା ଭିତରେ ସତର୍କତା ଅବଲମ୍ବନ ନକଲେ ପୁଣିଥିରେ ସଂକ୍ରମଣ ମାଡି ଆସିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଲୋକମାନଙ୍କ ସତର୍କତା ଢିଲା ହେବା ଫଳରେ ବ୍ରିଟେନ, ଋଷିଆ, ବାଂଲାଦେଶରେ ପୁଣି ସଂକ୍ରମଣ ବୃଦ୍ଧି ପାଇଛି । ସେହିପରି ଆମ ଦେଶର କେତେକ ପର୍ଯ୍ୟଟନସ୍ଥଳୀରେ ପ୍ରବଳ ଗହଳି ପରିଲକ୍ଷିତ ହେଉଛି । ଲୋକମାନଙ୍କର ଏପରି କାମ ପୁଣି ବିପଦକୁ ଡାକି ଆଣିବ ।

ସେ କହିଛନ୍ତି ଯେ ଗତ ସପ୍ତାହରେ ଦୈନକ ସଂକ୍ରମଣରେ ୮ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ଦେଶରେ ଏବେ ଦେଖାଦେଉଥିବା ଦୈନିକ ସଂକ୍ରମଣର ୮୦ ପ୍ରତିଶତ ୯୦ଟି ଜିଲ୍ଲାରେ ଚିହ୍ନଟ ହେଉଛି । ଅନ୍ୟପକ୍ଷରେ ଦେଶରେ ଆରୋଗ୍ୟ ହାର ୯୭. ୨ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।

ଏହି ଅବସରରେ ନିତି ଆୟୋଗ ସଦସ୍ୟ ଭି.କେ.ପଲ କହିଛନ୍ତି ଯେ ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳାମାନେ କରୋନା ଟିକା ନେବା ବେଶ ନିରାପଦ । ଗର୍ଭବତୀ ମହିଳା ଟିକା ନେବା ସମ୍ପର୍କରେ ନିୟମାବଳୀ ଜାରି କରାଯାଇଛି । ଦେଶରେ ଏବେ ଦିଆଯାଉଥିବା ୩ ପ୍ରକାରର ଟିକା ଗର୍ଭବତୀମାନଙ୍କ ପାଇଁ ନିରାପଦ ବୋଲି ସେ କହିଛନ୍ତି ।