କନକ ବ୍ୟୁରୋ : କରୋନାକୁ ନେଇ ପୁଣି ଆସିଛି ବଡ ଖବର । ପୁଣିଥରେ ହୁ ହୁ ହୋଇ ବଢିଲାଣି ସଂକ୍ରମଣ । ଭାରତରେ ସଂକ୍ରମଣ ମାମଲା କମ ଥିବା ବେଳେ ପୁଣିଥରେ ଚୀନରେ କରୋନା ନିଜର କାୟା ବିସ୍ତାର କରିବା ଆରମ୍ଭ କରିଛି । କେବଳ ଚୀନ୍ ନୁହେଁ ବରଂ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ଏପରିକି ଗତ ୨୪ ଘଣ୍ଟାରେ ପୂରା ବିଶ୍ୱରେ ୧୩ ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପରିକି ୨୪ ଘଣ୍ଟାରେ ୩୫ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି । ଚୀନରେ ରବିବାର କେବଳ ୩୧୦୦ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଆଉ ଏହା ଗତ ୨ ବର୍ଷ ମଧ୍ୟରେ ଦୈନିକ ସର୍ବାଧିକ ସଂକ୍ରମଣ ମାମଲା । ସଂକ୍ରମଣ ବଢିବା ଭିତରେ ଆଗୁଆ ପଦକ୍ଷେପ ସ୍ୱରୁପ ଶେନଜେନ ସହରରେ ଲକଡାଉନ ଜାରି କରାଯାଇଛି । ଯାହାଦ୍ୱାରା ଏହି ସହରରେ ବସବାସ କରୁଥିବା ପ୍ରାୟ ଦେଢ କୋଟି ଲୋକ ଏବେ ଲକଡାଉନରେ ଭିତରେ ଧନ୍ଦି ହେଉଛନ୍ତି । ସେହିଭଳି ସଂଘାଇରେ ସ୍କୁଲକୁ ମଧ୍ୟ ବନ୍ଦ କରାଯାଇଛି । ଏହାପୂର୍ବରୁ ଚାଙ୍ଗଚୁନ୍ ସହରରେ ମଧ୍ୟ ଲକଡାଉନ ଲଗାଇଛି ଚୀନ୍ ।
ଏବେ ପର୍ଯ୍ୟନ୍ତ ବିଶ୍ୱରେ କରୋନାରେ ୪୫.୮୫ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଆଉ ସଂକ୍ରମିତଙ୍କ ମଧ୍ୟରୁ ୩୯.୧୬ କୋଟି ଲୋକ ଠିକ୍ ହୋଇଥିବା ବେଳେ ଏବେ ସୁଦ୍ଧା ୬.୦୮ କୋଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ଯେଉଁମାନଙ୍କର ଏବେ ବି ଚିକିତ୍ସିତ ହେଉଛନ୍ତି । ଏସବୁ ଭିତରେ ବିଶ୍ୱରେ ପ୍ରାୟ ୬୦.୬ ଲକ୍ଷ ଲୋକ କରୋନା ସଂକ୍ରମଣରେ ଜୀବନ ହାରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ କୋରିଆ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦକ୍ଷିଣ କୋରିଆରେ ଗତ ୨୪ ଘଣ୍ଟାରେ ୩୫୦୧୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଭିଏତନାମରେ ୧,୬୬,୯୬୮, ଫ୍ରାନ୍ସରେ ୬୦,୪୨୨, ଇଟାଲୀରେ ୪୮,୮୮୬ ଓ ଋଷରେ ୪୪,୯୮୯ କରୋନା ମାମଲା ସାମ୍ନାକୁ ଆସିଛି ।
୨୦୧୯ରେ ଚୀନରେ ପ୍ରଥମ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା । ଆଉ ଏହା ପରଠାରୁ କରୋନାକୁ କିଭଳି ଉଚିତ ଢଙ୍ଗରେ ମୁକାବିଲା କରାଯାଇପାରିବ ସେନେଇ ବିଭିନ୍ନ ପଦକ୍ଷେପ ନେଉଛି ଚୀନ୍ । ଯେଉଁଥିପାଇଁ ସଂକ୍ରମଣ ବଢିବା କ୍ଷଣି ଲକଡାଉନ କରାଯାଉଥିବା ବେଳେ ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨୫୦୩ଟି କରୋନା ମାମଲା ସାମ୍ନାକୁ ଆସିଛି । ଆଉ ୨୭ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି ।