କରୋନା ବଢୁଛି ଦ୍ରୁତ ଗତିରେ । ପ୍ରଥମ ୧ହଜାର ଆକ୍ରାନ୍ତଙ୍କ ପାଇଁ ଲାଗିଥିଲା ୬୪ଦିନ, ହେଲେ ୮ଦିନରେ ବଢିଲା ତୃତୀୟ ୧ ହଜାର ଆକ୍ରାନ୍ତଙ୍କ ସଂଖ୍ୟା ।

370

କନକ ବ୍ୟୁରୋ : ଓଡିଶାରେ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । କିନ୍ତୁ ଏହାର ସେଭଳି ପ୍ରଭାବ ନାହିଁ । ଆଜି ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଅତିକ୍ରମ କରିଯାଇଛି । ପ୍ରଥମ ୧ ହଜାର ସଂକ୍ରମଣ ପାଇଁ ୬୪ ଦିନ ଲାଗିଲା, ଦ୍ୱିତୀୟ ୧ ହଜାର ସଂକ୍ରମଣ ପାଇଁ ୧୨ ଦିନ ଲାଗିଲା ଏବଂ ତୃତୀୟ ୧ ହଜାର ସଂକ୍ରମଣ ପାଇଁ ମାତ୍ର ୮ ଦିନ ଲାଗିଲା । ଏଥିରୁ ଅନୁମାନ କରିପାରିବେ, କେମିତି ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । କିନ୍ତୁ ସେହି ତୁଳନାରେ ଗୁରୁତର ହେଉନାହାଁନ୍ତି ଆକ୍ରାନ୍ତ । ଗତ ମେ ୩୧ ତାରିଖ ସୁଦ୍ଧା ମାତ୍ର ଜଣେ ଆକ୍ରାନ୍ତଙ୍କୁ ଆଇସିୟୁରେ ଭର୍ତି ହେବାକୁ ପଡିଥିଲା । ଅନ୍ୟ କୌଣସି ଆକ୍ରାନ୍ତଙ୍କ ପାଇଁ ଆଇସିୟୁର ଆବଶ୍ୟକତା ପଡିନଥିଲା ।

ସଂକ୍ରମଣ ସଂଖ୍ୟା ତ୍ୱରିତ ଗତିରେ ବଢିବାରେ ଲାଗିଛି , ଏଥିରେ କୌଣସି ସନ୍ଦେହ ନାହିଁ । ଆମ ଦେଶର ଚିତ୍ର ବି ଦେଖିଲେ ସେହି ସମାନ ରହିଛି । କିନ୍ତୁ ଓଡିଶାରେ ସଂକ୍ରମଣ ସିନା ବଢିଛି, ହେଲେ କେହି ଗୁରୁତର ଅବସ୍ଥାକୁ ଯାଉ ନାହାନ୍ତି । ଏହି ସୂଚନା ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର ସୂଚନା । ରାଜ୍ୟରେ ହୁ ହୁ ହୋଇ ସଂକ୍ରମଣ ବଢି ଚାଲିଥିଲେ ବି କରୋନା ସେଭଳି ବିପଦଜନକ ସ୍ଥିତି ଆଣୁନାହିଁ । ଗତ ମେ ୩୧ ତାରିଖ ସୁଦ୍ଧା ଓଡିଶାର ଜଣେ ମାତ୍ର କରୋନା ରୋଗୀ ଆଇସିୟୁରେ ଚିକିତ୍ସିତ ହେଉଥିଲେ । ଆଉ କୌଣସି ଆକ୍ରାନ୍ତଙ୍କୁ ଆଇସିୟୁ ଆବଶ୍ୟକତା ପଡିନାହିଁ । ମେ ୩୧ ସୁଦ୍ଧା ରାଜ୍ୟରେ ୨୧୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଏମାନଙ୍କ ମଧ୍ୟରୁ ମାତ୍ର ଜଣଙ୍କୁ ଆଇସିୟୁର ଆବଶ୍ୟକତା ପଡିଥିଲା ।

ଏଥିରୁ ଅନ୍ତତଃ ଗୋଟିଏ କଥା ସ୍ପଷ୍ଟ ହେଉଛି, ସଂକ୍ରମଣ ସଂଖ୍ୟାକୁ ଦେଖି ଭୟ କରିବାର କୌଣସି କାରଣ ନାହିଁ । କିନ୍ତୁ ସତର୍କତା ଏବଂ ସଚେତନତା ଆପଣଙ୍କୁ କରୋନାଠାରୁ ଦୂରେଇ ରଖିବ, ଏଥିରେ କୌଣସି ସନ୍ଦେହ ନାହିଁ ।