କନକ ବ୍ୟୁରୋ: ଆମେରିକାରେ କରୋନା ସଂକ୍ରମଣର ବିସ୍ଫୋରଣ । ଦିନକରେ କରୋନାର ଦୈନିକ ସଂକ୍ରମଣ ସର୍ବକାଳୀନ ଅଲୋଡା ରେକର୍ଡ କରିଛି । ଗତ ୨୪ଘଣ୍ଟାରେ ୧୩ ଲକ୍ଷ ୫୦ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ଯେକୌଣସି ଦେଶର ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସର୍ବାଧିକ ସଂଖ୍ୟା । ତେବେ ଆଉ ଏକ ସାଂଘାତିକ ତଥ୍ୟ ହେଉଛି, ଗୋଟିଏ ଦିନରେ ସର୍ବାଧିକ ସଂକ୍ରମିତ ହସ୍ପିଟାଲରେ ଭର୍ତ୍ତି ହେବାର ପୁରୁଣା ରେକର୍ଡକୁ ମଧ୍ୟ ଆମେରିକା ଟପି ଯାଇଛି । ସୋମବାର ୧ ଲକ୍ଷ ୩୨ ହଜାର ୬୪୬ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ଗତବର୍ଷ ଜାନୁୟାରୀରେ ୧ଲକ୍ଷ ୩୨ ହଜାର ୫୧ ଜଣ ମେଡିକାଲରେ ଭର୍ତ୍ତି ହୋଇଥିଲଲେ । ଏହା ସୂଚାଉଛି, ଆମେରିକାରେ ଏବେ କରୋନା ସଂକ୍ରମଣ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଏପଟେ ଭାରତରେ ଦୈନିକ ସଂକ୍ରମଣ ଗୋଟିଏ ଦିନରେ ୧୧ହଜାର କମି ଯାଇଛି କିନ୍ତୁ ଦେଶର ରାଜଧାନୀରେ ଦ୍ରୁତ ସଂକ୍ରମଣ ଯୋଗୁଁ ନୂଆ ଗାଇଡ ଲାଇନ ଜାରି କରିଛନ୍ତି କେଜ୍ରିୱାଲ ସରକାର । ଦିଲ୍ଲୀର ସମସ୍ତ ଘରୋଇ କାର୍ଯ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପଟେ ଓଡିଶାରେ ମଧ୍ୟ କରୋନା ସଂକ୍ରମଣ ୭ ହଜାର ଟପିଥିବା ବେଳେ ଖୋର୍ଦ୍ଧା, ସୁନ୍ଦରଗଡ, ସମ୍ବଲପୁରର ସ୍ଥିତି ଚିନ୍ତାଜନକ ରହିଛି ।
ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତିଲ ୭ ହଜାର ୭୧ ନୂଆ ଆକ୍ରାନ୍ତ । ଦିନକରେ ପ୍ରାୟ ୪୬.୪୨ ପ୍ରତିଶତ ବଢିଛି ସଂକ୍ରମିତଙ୍କ ସଂଖ୍ୟା । ନଜର ପକାନ୍ତୁ ଗତ ୭ ଦିନର ରିପୋର୍ଟ ଉପରେ...ଜାନୁୟାରୀ ୫ ତାରିଖରେ ରାଜ୍ୟରୁ ୧ ହଜାର ୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ୭ ହଜାର ୭୧ ମାମଲା ଚିହ୍ନଟ ହୋଇଛି । ଏଥିରୁ ଅନୁମାନ କରିହେବ ରାଜ୍ୟରେ କେତେ ଦ୍ରୁତ ବେଗରେ ବଢୁଛି ସଂକ୍ରମଣ, ଆଉ ଏହା ତୃତୀୟ ଲହରର ଭୟକୁ ବଢାଇ ଦେଉଛି । ରାଜ୍ୟର ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ଏବେ ୨ ହଜାର ଟପିଛି । ସୁନ୍ଦରଗଡରେ ନୂଆ ମାମଲା ହଜାରେ ଟପିଲାଣି । ସେପଟେ ସମ୍ବଲପୁର ଓ କଟକରେ ୫ଶହ ଉପରେ ପଜିଟିଭ ଚିହ୍ନଟ ହେବା ଚିନ୍ତା ବଢାଇ ଦେଇଛି । ପଜିଟିଭିଟି ରେଟରେ ଅନୁସାରେ ଏବେ ରାଜ୍ୟର ୮ଟି ଜିଲ୍ଲା ରେଡ ଜୋନରେ ରହିଛି । ସୁନ୍ଦରଗଡରେ ସଂକ୍ରମଣ ହାର ୨୨.୮୩% ରହିଛି । ଖୋର୍ଦ୍ଧା ୧୭.୯% ଓ ସମ୍ବଲପୁରରେ ୧୫.୮୧% ପଜିଟିଭିଟି ରେଟ ରହିଛି ।
- ମହାରାଷ୍ଟ୍ରରେ ଖସୁଛି, ଦିଲ୍ଲୀରେ ବଢୁଛି କରୋନା
- ଦେଶରେ ତଳମୁହାଁ ହେଉଛି କି ଦୈନିକ ସଂକ୍ରମଣ?
ଅନ୍ୟପଟେ ଗତ ୨୪ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୮ ହଜାର ୬୩ କରୋନା ଆକ୍ରାନ୍ତ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି । ଆଶ୍ୱସ୍ତିକର କଥା ହେଲା, ଗତକାଲି ତୁଳନାରେ ଏହି ମାମଲା ୬.୫ ପ୍ରତିଶତ କମ୍ ରହିଛି । ଗତକାଲି ୧ ଲକ୍ଷ ୭୯ ହଜାର ୭୨୩ ମାମଲା ଚିହ୍ନଟ ହୋଇଥିଲା । ସୋମବାର ୧୪୬ ଜଣଙ୍କ ଜୀବନ ମହାମାରୀ ନେଇଥିବା ବେଳେ ମଙ୍ଗଳବାର କରୋନାରେ ଯାଇଛି ୨୭୭ ଜଣଙ୍କ ପ୍ରାଣ । ସେପଟେ ଦେଶର ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ମହାରାଷ୍ଟ୍ରରେ କରୋନା ମାମଲା କମିବାରେ ଲାଗିଛି ।
ଜାନୁୟାରୀ ୦୭ ତାରିଖ -୪୦, ୯୨୫ ପଜିଟିଭ
ଜାନୁୟାରୀ ୦୮ ତାରିଖ -୪୧, ୪୩୪ ପଜିଟିଭ
ଜାନୁୟାରୀ ୦୯ ତାରିଖ –୪୪, ୩୮୮ ମାମଲା
ଜାନୁୟାରୀ ୧୦ ତାରିଖ – ୩୩. ୪୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଲଗାତାର ବଢୁଥିବା ଦୈନିକ ସଂକ୍ରମଣ ଗୋଟିଏ ଦିନରେ ପ୍ରାୟ ୧୦ ହଜାର ଖସିିଛି । ସେପଟେ ଦିଲ୍ଲୀରେ ସଂକ୍ରମଣ ବଢୁଥିବାରୁ ନୂଆ ଗାଇଡଲାଇନ ଜାରି କରିଛନ୍ତି କେଜ୍ରିୱାଲ ସରକାର ।
- ଦିଲ୍ଲୀର ସମସ୍ତ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ
- ଘରେ ରହି କାମ କରିବେ ଘରୋଇ ଅଫିସର କର୍ମଚାରୀ
- ରେଷ୍ଟୁରାଂଟ, ବାର ବନ୍ଦ ରହିବ
- ହୋମ ଡେଲିଭରି ପାଇଁ ରେଷ୍ଟୁରାଣ୍ଟ ଖୋଲା ରହିବ
ବିଶେଷଜ୍ଞଙ୍କ ଅନୁସାରେ ଦେଶ ଏବେ କରୋନାର ତୃତୀୟ ଲହର ଦେଇ ଗତି କରୁଛି । କିନ୍ତୁ ସାରା ଦେଶର ଦୈନିକ ସଂକ୍ରମଣ ଓ ମହାରାଷ୍ଟ୍ରରେ ପଜିଟିଭ ମାମଲା କମିବା ଏକ ଭଲ ସଙ୍କେତ ବୋଲି କୁହାଯାଇପାରେ ।