ଦେଶରେ ବଢୁଛି, ଦିଲ୍ଲୀରେ କମୁଛି । କରୋନାର କୋପ କମିଲାଣି ରାଜଧାନୀରୁ, ସଫଳତା ପଛର ସୂତ୍ର କହିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ।

1,497

କନକ ବ୍ୟୁରୋ : ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଦିଲ୍ଲୀରେ ଆଶ୍ୱସ୍ତ କଲା ଭଳି ଖବର ଆସିଛି । ଜୁଲାଇ ମାସରେ ସଂକ୍ରମଣ ସଂଖ୍ୟା ଢେର ହ୍ରାସ ପାଇଛି । ଜୁନ୍ ମଝିରେ ଦିନକୁ ପ୍ରାୟ ୩ ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ଏହା ପ୍ରାୟ ୧୪ଶହକୁ ଖସି ଆସିଛି । ଦିଲ୍ଲୀର ସଫଳ ଲଢେଇ ପଛରେ କଣ ରହସ୍ୟ ରହିଛି ।

ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଏଭଳି କିଛି ସଂକେତ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏହା ୫ଟି ଫର୍ମୁଲା ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

– ଗୃହ ସଙ୍ଗରୋଧକୁ ଗୁରୁତ୍ୱ

– ପରୀକ୍ଷା ସଂଖ୍ୟା ବଢାଗଲା

– ୨୪ ଘଂଟାରେ ହସ୍ପିଟାଲର ଶଯ୍ୟା ସଂଖ୍ୟା ୫ ହଜାରକୁ ବୃଦ୍ଧି କରାଗଲା

– ସମସ୍ତଙ୍କୁ ସ୍ଥିତିର ସ୍ପଷ୍ଟଚିତ୍ର ଦିଆଗଲା ଏବଂ ମିଳିତ ଉଦ୍ୟମ କରାଗଲା

– ପ୍ଲାଜମା ଚିକିତ୍ସା ଯୋଗୁଁ ଜୀବନ ବଂଚିଲା

ଜୁନ୍ ମାସ ୧୭ ତାରିଖରୁ ପ୍ରାୟ ୩୦ ତାରିଖ ଯାଏଁ ପ୍ରତ୍ୟେକ ଦିନ ଦିଲ୍ଲୀରେ ପ୍ରାୟ ୩ ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ଏବେ ଏହି ସଂଖ୍ୟା ପ୍ରାୟ ୫୦ ପ୍ରତିଶତ କମି ୧୪ଶହରୁ ୧୫ଶହ ମଧ୍ୟରେ ରହୁଛି ।  ଏବଂ ଜୁନ୍ ୧୬ ତାରିଖରେ ଦିଲ୍ଲୀରେ ଗୋଟିଏ ଦିନରେ ୪୩୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗତକାଲି ମାତ୍ର ୨୬ ଜଣଙ୍କର ମୃତ୍ୟୁ ଘଟିଛି ।  ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଭାଇରସକୁ ଏକା ଲଢିପାରିବେ ନାହିଁ ବୋଲି ସେମାନେ ଅନୁଭବ କରିଥିଲେ । ଏଥିପାଇଁ ବଡଧରଣର ଅର୍ଥନୈତିକ, ସ୍ୱାସ୍ଥ୍ୟସେବା ଓ ମାନବ ସମ୍ବଳ ଦରକାର । ତେଣୁ କୋଭିଡ୍-୧୯ ସମସ୍ୟାର ପୁରା କ୍ରମକୁ ସେମାନେ ବିଶ୍ଲେଷଣ କଲେ । ଏହାପରେ ପରୀକ୍ଷାକୁ ବଢାଗଲା ଓ ହସ୍ପିଟାଲରେ ଶର୍ଯ୍ୟା ବଢାଗଲା । କିନ୍ତୁ ହସ୍ପିଟାଲରେ ଯେତେ ଶର୍ଯ୍ୟା ବଢାଇଲେ ମଧ୍ୟ ତାହା ଯଥେଷ୍ଟ ହେବ ନାହିଁ । ତେଣୁ ଘରେ ସଙ୍ଗରୋଧରେ ରହି ଟେଲି ମେଡିସିନ୍ ଦ୍ୱାରା ସେବା ଯୋଗାଇ ଦିଆଗଲା ।

ଦିଲ୍ଲୀରେ କେମିତି ଆକ୍ରାନ୍ତଙ୍କ ସଂଖ୍ୟା କମିଲା, ସେନେଇ କେଜରିୱାଲ ତାଙ୍କ ସରକାର କରିଥିବା ଉଦ୍ୟମଗୁଡିକୁ ବ୍ୟାଖ୍ୟା କରିଛନ୍ତି । କିନ୍ତୁ ଏସବୁ ସତ୍ୱେ ଆଉ ଏକ ବଡ କାରଣ ମଧ୍ୟ ହୋଇପାରେ, ତାହା ହେଉଛି ହର୍ଡ ଇମ୍ୟୁନିଟି ବା ସମୂହ ରୋଗ ପ୍ରତିରୋଧକ ଶକ୍ତି ।