ଉହାନକୁ ପୁଣି ଫେରିଲା କରୋନା । ୭ଜଣ ପ୍ରବାସୀ ଶ୍ରମିକଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ପରେ ସହରରେ ହାଇ ଆଲର୍ଟ, ବେଜିଂରେ ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ ।

214

କନକ ବ୍ୟୁରୋ : ଚୀନର ଉହାନରୁ ସୃଷ୍ଟି ହୋଇ ସାରା ବିଶ୍ୱକୁ ବ୍ୟାପିଥିବା ମାରାତ୍ମକ କରୋନା ଭୂତାଣୁ ପୁଣିଥରେ ଫେରିଛି ଉହାନ ସହରକୁ । ଯାହାକୁ ନେଇ ଉହାନର ପ୍ରତ୍ୟେକ ନାଗରିକଙ୍କ ନମୂନା ପରୀକ୍ଷଣ କରୁଛନ୍ତି ଚୀନ ପ୍ରଶାସନ । ଚୀନ ମଧ୍ୟ ପ୍ରାନ୍ତ ଓ ଉତର ପ୍ରାନ୍ତରେ କରୋନାର ଡେଲ୍ଟା ଭାରିଂଆଟ ବ୍ୟାପିବା ପରେ ଉହାନ ପ୍ରଶାସନ ଏପରି ପଦକ୍ଷେପ ଉଠାଇଛି ।

ଚୀନରେ ଏବେ ଦେଖିବାକୁ ମିଳିଛି କରୋନାର ଭିନ୍ନ ପ୍ରକାର ଡେଲ୍ଟା ଭାରିଆଣ୍ଟର ଆତଙ୍କ । ମଧ୍ୟପ୍ରାନ୍ତ ଓ ଉତର ଚୀନ ସମେତ ଅନେକ ସ୍ଥାନରେ ଡେଲ୍ଟା ଭାରିଆଣ୍ଟରେ ଆକ୍ରାନ୍ତ ହେଉଛନ୍ତି ଚୀନ ବାସିନ୍ଦା । ଏହାରି ଭିତରେ କରୋନା ଭୂତାଣୁର କେନ୍ଦ୍ର କୁହାଯାଉଥିବା ଉହାନ ସହରକୁ ଫେରିଛି ମାରାତ୍ମକ କରୋନା । ଉହାନ ସହରରେ ୭ ଜଣଙ୍କ ନିକଟରେ ଡେଲ୍ଟା ଭୂତାଣୁ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଉଛି ।

– ଉହାନରେ ଘର ଘର ବୁଲି କରାଯାଉଛି କରୋନା ପରୀକ୍ଷଣ

– ଘରୋଇ ଯାନବାହାନ ଚଳାଚଳ ବନ୍ଦ

– ବାହର ରାଜ୍ୟରୁ ଉହାନ ମଧ୍ୟକୁ ପ୍ରବେଶ ଉପରେ କଟକଣା

– ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରିର କରାଯାଉଛି ଯାଂଚ

– ଘରର ଜଣେ ସଦସ୍ୟ ଦିନ ଭିତରେ ଥରେ ବାହାରକୁ ଯାଇପାରିବେ

ମିଳିଥିବା ସୂଚନା ଅନୁସାରେ ବାହାର ରାଜ୍ୟରୁ ଉହାନକୁ କାମ କରିବାକୁ ଆସିଥିବା ଶ୍ରମିକଙ୍କଠାରୁ ସଂକ୍ରମଣ ବ୍ୟାପିବା ପରେ ଉହାନ ସହରରେ ୭ ଜଣଙ୍କ ଠାରେ ଡେଲ୍ଟା ଭୂତାଣୁ ଚିହ୍ନଟ ହୋଇଛି । ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଯାଂଚ କରାଯିବା ସହ ଅଧିକ ସଂଖ୍ୟାରେ ନମୁନା ପରୀକ୍ଷଣ କରାଯାଉଛି ।  ରାଜଧାନୀ ବେଜିଂ ସମେତ ଅନେକ ପ୍ରମୁଖ ସହରରେ ଡେଲ୍ଟା ଭାରିଆଣ୍ଟ ବ୍ୟାପିବାରେ ଲାଗିଛି । ପ୍ରଥମେ ନାନଜିଙ୍ଗ ଏୟାରପୋର୍ଟର ସଫେଇ କର୍ମଚାରୀଙ୍କ ଠାରୁ ଏହି କରୋନା ଭୂତାଣୁର ଭିନ୍ନ ପ୍ରକାର ଡେଲ୍ଟା ଭାରିଆଂଟ୍ ସଂକ୍ରମିତ ହୋଇଥିଲା । ଏବେ ଧିରେ ଧିରେ ୧୨ଟି ରାଜ୍ୟରେ ଲୋକେ ଡେଲ୍ଟା ଭୂତାଣୁରେ ଆକ୍ରାନ୍ତ ହେବାରେ ଲାଗିଲେଣି । ନାନଜିଙ୍ଗ ନିକଟରେ ଥିବା ୟାଙ୍ଗଜୋହ ସହରରେ ଗତକାଲି ୪୦ ଜଣଙ୍କ ଠାରେ ଡେଲ୍ଟା ଭୂତାଣୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ଡେଲ୍ଟା ଭାରିଆଣ୍ଟର ଆତଙ୍କ ଦେଖି ବେଜିଂ ଏବେ ରାଜଧାନୀରେ ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି । ସେହିପରି ଲୋକଙ୍କୁ ଭିଡ, ଗହଳି ଠାରୁ ଦୂରରେ ରହିବାକୁ ପ୍ରଶାସନ ପରାମର୍ଶ ଦେଉଛନ୍ତି ।  ୨୦୧୯ ପ୍ରଥମେ ଉହାନ ସହରରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା ଏବଂ ଏହା ଉଗ୍ରରୂପ ନେଇଥିଲା । ଫଳରେ ପୁରା ସହରକୁ ବନ୍ଦ କରି ଦିଆଯାଇଥିଲା । ଡେସମ୍ବର ୨୦୧୯ରୁ ମାର୍ଚ୍ଚ-୨୦୨୦ ପର୍ଯ୍ୟନ୍ତ ଉହାନରେ ଲକଡାଉନ୍ କରାଯାଇଥିଲା । ଏବେ ଯଦି କରୋନାର ଡେଲ୍ଟା ଭାରିଆଣ୍ଟ ଉଗ୍ର ରୂପ ନିଏ ତାହାଲେ ଉହାନରେ ପୁଣିଥରେ ବନ୍ଦ କରାଯାଇପାରେ ।