ଉହାନ ଲ୍ୟାବରୁ ବାହାରିଛି ମାରାତ୍ମକ କରୋନା । ୟୁଏସ ରିପବ୍ଲିକାନର ରିପୋର୍ଟରେ ବାହାରିଲା ଚୀନ୍ ଲ୍ୟାବର ସତ, ପ୍ରମାଣ ନଷ୍ଟ କରିଥିବା ନେଇ ଆମେରିକା କଲା ଦାବି ।

501

କନକ ବ୍ୟୁରୋ : କରୋନା ଭୂତାଣୁ ସୃଷ୍ଟିକୁ ନେଇ ଚୀନ୍ ବିରୋଧରେ ମିଳିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ପ୍ରମାଣ । ଏ ଭିତରେ ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜିରୁ କରୋନା ଭୂତାଣୁ ଲିକ୍ ହୋଇଥିବା ନେଇ ୟୁଏସ ରିପବ୍ଲିକାନ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି । ସେପଟେ ଏହି କଥାକୁ ପୂର୍ବ ଭଳି ଖଣ୍ଡନ କରିଛି ଚୀନ୍ ।

ଆମେରିକାର ଦାବି..ଉହାନ ଲ୍ୟାବରୁ ବାହାରିଛି ମାରାତ୍ମକ କରୋନା । ଆମେରିକା ଗୁଇନ୍ଦା ବିଭାଗ ହାତରେ ଲାଗିଥିବା ଏକ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଉହାନ ଲ୍ୟାବ ଫର୍ ଭାଇରୋଲଜିରୁ ଲିକ୍ ହୋଇଛି ମାରାତ୍ମକ କରୋନା ଭୂତାଣୁ । ଯାହାକୁ ନେଇ ଆଜି ସାରା ବିଶ୍ୱରେ ଦେଖିବାକୁ ମିଳିଛି ପ୍ରଳୟ ।

ୟୁଏସ ରିପବ୍ଲିକାନର ଏକ ରିପୋର୍ଟ ଅନୁସାରେ କରୋନା ଭୂତାଣୁ ଲିକ୍ ହେବା ପଛରେ ରହିଛି ଚାଇନା ସରକାରର ହାତ । ଆଉ ଏହି ତଥ୍ୟକୁ ଲୁଚାଇବା ପାଇଁ ଚାଇନା ସରକାର କରିଥିଲେ ଭରପୁର ଉଦ୍ୟମ । ଏନେଇ ତଥ୍ୟ ଆମେରିକା ଗୁଇନ୍ଦା ବିଭାଗ ଦ୍ୱାରା ହସ୍ତଗତ ହୋଇଛି । ୟୁଏସ ରିପବ୍ଲିକାନର ବୈଦେଶିକ ବ୍ୟାପାର କମିଟିର ସଦସ୍ୟ ମାଇକ୍ ମାକଲ କହିଛନ୍ତି, ସାରା ବିଶ୍ୱରେ କରୋନା ଭୂତାଣୁ ବ୍ୟାପିବା ପାଇଁ ଚୀନ୍ ହିଁ ଦାୟୀ ।

୨୦୧୯ରେ ଉହାନ୍ ଲ୍ୟାବରୁ ମାରାତ୍ମକ କରୋନା ଭୂତାଣୁ ଲିକ୍ ହୋଇଥିଲା ବୋଲି ଆମେରିକା ପାଖରେ ରହିଛି ଯଥେଷ୍ଟ ପ୍ରମାଣ । ଆଉ ଚୀନ୍ ମୂଳରୁ ହିଁ ସବୁ ପ୍ରମାଣ ନଷ୍ଟ କରିବା ପାଇଁ କରିଥିଲା ଭରପୁର ପ୍ରୟାସ । ତେବେ ଲ୍ୟାବରୁ କରୋନା ଭୂତାଣୁ ବାହାରିଥିବା କଥାକୁ ସବୁବେଳେ ଖଣ୍ଡନ କରି ଆସିଛି ଚୀନ୍ ।

କରୋନା ଭୂତାଣୁ ପ୍ରସଙ୍ଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଦଳ ଚୀନ୍ ଯାଇ ତଦନ୍ତ କରିଥିଲା । ହେଲେ ଏହି ଦଳ ଚୀନକୁ ଏକ ପ୍ରକାର କ୍ଲିନ୍ ଚିଟ୍ ଦେଇଥିଲା । ତେବେ ଏହି ରିପୋର୍ଟକୁ ନେଇ ଅନେକ ଦେଶ ଓ ନେତା ଆପତି ଉଠାଇଥିଲେ । କରୋନା ଭୂତାଣୁ କିପରି ଆସିଲା, କେଉଁଠୁ ଆସିଲା ଏହାର ତଦନ୍ତ କରୁଛି ଆମେରିକା । ୨୦୧୯ ଡିସେମ୍ବରରେ ଚୀନରେ ପ୍ରଥମେ କରୋନା ଭୂତାଣୁ ସାମ୍ନାକୁ ଆସିଥିଲା । ଏହାପରେ ଏହି ଭୂତାଣୁ ସାରା ବିଶ୍ୱକୁ ବ୍ୟାପିଯାଇଥିଲା । ଏହି ମାରାତ୍ମକ ଭୂତାଣୁ ପାଇଁ ସାରା ବିଶ୍ୱରେ ୪୪ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି ।