କରୋନା କଟକଣାକୁ ଫୁ । ବିଶ୍ୱକର୍ମା ପୂଜାର ମଜା ନେବା ପାଇଁ ଗୀତନାଚର ଆସର : ବିନା ମାସ୍କ, ବିନା ସାମାଜିକ ଦୂରତାରେ ଶହ ଶହ ଲୋକଙ୍କ ଭିଡ

340

କନକ ବ୍ୟୁରୋ : କରୋନା କଟକଣାକୁ ଫୁ କରି ଯାତ୍ରା ପେଣ୍ଡାଲରେ ନାଚଗୀତ ଦେଖୁଛନ୍ତି ଦର୍ଶକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ନିମାତପୁର ହାଟ ଉପରେ । ବିଶ୍ୱକର୍ମା ପୂଜା ପରେ ନୃତ୍ୟସଙ୍ଗୀତରେ ଆସର ଜମିଥିଲା । ବିନା ସାମାଜିକ ଦୂରତାରେ ଏବଂ ମାସ୍କ ନପିନ୍ଧି, କୋଭିଡ କଟକଣାକୁ ନମାନି ବହୁ ସଂଖ୍ୟାରେ ଦର୍ଶକ ଏକାଠି ବସି ଉପଭୋଗ କରୁଥିଲେ ନାଚଗୀତର ଏହି ଦୃଶ୍ୟକୁ ।

ଏହି ଦୃଶ୍ୟକୁ ଦେଖିଲେ ଲାଗୁଥିଲା ସତେ ଯେମିତି କରୋନା ସଂକ୍ରମଣର ପ୍ରଭାବ ଏହି ଅଂଚଳରେ ଆଉ ନାହିଁ । ଏହି ଘଟଣା ସମ୍ପର୍କରେ ଅତିରିକ୍ତ ତହସିଲଦାରଙ୍କୁ ପଚାରିବାରୁ ତାଙ୍କ ଉତର ଥିଲା, ଭିଡିଓ କରି ପଠାନ୍ତୁ, ଆସନ୍ତାକାଲି କାର୍ଯ୍ୟାନୁଷ୍ଠାନ ନେବା । କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ନିୟମ ଜାରି କରିଥିବା ବେଳେ ଏଠାରେ ଏହାର ଖୋଲା ଉଲ୍ଲଙ୍ଘନ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । କାରଣ ଦର୍ଶକମାନେ ପାଖାପାଖି ବସିଥିଲେ । ମୁହଁରେ ମାସ୍କ ନଥିଲା କି ସାମାଜିକ ଦୂରତା ମଧ୍ୟ ନଥିଲେ । କୋଭିଡ କଟକଣାକୁ ଅମାନିଆ ଦର୍ଶକ କିପରି ଫୁ କରିଦେଇଛନ୍ତି ତାହା ଏହି ଦୃଶ୍ୟକୁ ଦେଖିଲେ ହିଁ ସହଜରେ ଅନୁମାନ କରିହେବ ।