କେରଳରେ କରୋନାର କରାଳ ରୂପ । ୫ ଦିନରେ ୧.୫ ଲକ୍ଷ ନୂଆ ମାମଲା, ନାଇଟ୍ କର୍ଫ୍ୟୁ ସହ ରବିବାର ଲକଡାଉନ ଘୋଷଣା

158

କନକ ବ୍ୟୁରୋ : ଦେଶରେ କରୋନାର ତୃତୀୟ ଲହର ଆସୁଥିବା ଆଶଂକା ଭିତରେ କେରଳରେ କରୋନାର ପ୍ରକୋପ ବଢିବାରେ ଲାଗିଛି । ଗତ ୫ ଦିନ ମଧ୍ୟରେ ରାଜ୍ୟରେ ୧.୫ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଗତ ୪ ଦିନ ହେବ ଦୈନିକ ସଂକ୍ରମଣ ୩୦ ହଜାର ଉପରେ ରହୁଛି ।

କହିରଖୁ କି ଗତ ୨୪ ଘଂଟା ମଧ୍ୟରେ ଦେଶରେ ୪୫ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତାହା ମଧ୍ୟରୁ କେବଳ କେରଳରୁ ୩୧,୨୬୫ ଜଣ ସଂକ୍ରମିତ ରହିଛନ୍ତି । ଏହା ଦେଶରେ ଦୈନିକ ମୋଟ ସଂକ୍ରମଣର ପାଖା ପାଖି ୭୦ ପ୍ରତିଶତ ।

କେରଳରେ ସଂକ୍ରମଣ ହାର ବୃଦ୍ଧି ପାଇ ୧୯.୨୨ ପ୍ରତିଶତରେ ପହଂଚିଛି । ଗୋଟିଏ ଦିନ ପୂର୍ବରୁ ଏହା ୧୮.୬୭ ପ୍ରତିଶତ ଥିଲା । ସଦ୍ୟ ସୂଚନା ମୁତାବକ ରାଜ୍ୟରେ ଆକ୍ଟିଭ ମାମଲା ୨ ଲକ୍ଷ ଉପରେ ରହିଛି । ଅନ୍ୟପଟେ ଦେଶରେ ଶନିବାର ଦିନ କରୋନା ସଂକ୍ରମଣରେ ମୋଟ ୪୪୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ କେରଳରେ କରୋନା ସଂକ୍ରମଣରେ ୧୫୩ ଜଣଙ୍କର ମୃତ୍ୟୁ ହୋଇଛି ।

ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେରଳ ସରକାର କରୋନା କଟକଣାକୁ କଠୋର କରିଛନ୍ତି । ରାଜ୍ୟରେ ସବୁଦିନ ନାଇଟ୍ କଫ୍ୟୁ ଘୋଷଣା କରିବା ସହ ଶନିବାର ସଟଡାଉନ ଓ ରବିବାରକୁ ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଶନିବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କୋଭିଡ ସମୀକ୍ଷା ବୈଠକର ନିଷ୍ପତ୍ତି ମୁତାବକ ସୋମବାର ଠାରୁ ରାଜ୍ୟରେ ପୁଣି ନାଇଟ୍ କଫ୍ୟୁ ଲାଗୁ ହେବ । ଏଥିରେ ରାତି ୧୦ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଜରୁରୀ ସେବା ବ୍ୟତୀତ ସମସ୍ତ କାରବାର ଓ ଯାତାୟତ ବନ୍ଦ ରହିବ ।