ଗାଁ ଅର୍ଥନୀତିକୁ ବିଗାଡି ଦେଉଛି କରୋନା । ପେଟ ପୋଷିବାକୁ ପ୍ରତିଦିନ ରୋଜଗାର କରୁଥିବା ଲୋକଙ୍କ ଉପରେ ଚଡକ

157

କନକ ବ୍ୟୁରୋ: ରାସ୍ତା କଡରେ ବସିଛନ୍ତି ବୃଦ୍ଧ ମହିଳା ଜଣକ । ଆଗରେ ଜରି ବସ୍ତା ଉପରେ ଶାଗ । କରୋନା କାଳରେ ଏହାକୁ ବିକ୍ରି କରି ଯାହା ଦି ପଇସା ପାଇବେ ପରିବାର ଚଳିବ । କରୋନା କଟକଣା ନେଇ ଧାର୍ଯ୍ୟ ସମୟ ଭିତରେ କିନ୍ତୁ ସରିପାରିଲାନି ଶାଗ ବିକ୍ରି । ତଥାପି ବସି ରହିଥିଲେ ଗ୍ରାହକ ଅପେକ୍ଷାରେ । ଏହି ସମୟରେ ମହିଳା ଜଣକଙ୍କ ପାଖକୁ ଆସିଥିଲେ ତହସିଲଦାର । ଦୁଃଖ ଶୁଣିବା ପରେ ବଦାନ୍ୟତା ଦେଖାଇ ୫୦ ଟଙ୍କାର ଶାଗକୁ ୨ ଶହ ଟଙ୍କାରେ କିଣି ନେଇଥିଲେ ।

ତହସିଲଦାରଙ୍କ ବଦାନ୍ୟତାରେ ବିଧବା ମହିଳା ଜଣଙ୍କର ଦିନକର ସମସ୍ୟା ତ ଦୂର କରିଦେଲା । ହେଲେ ଆସନ୍ତାକାଲି ଯେତେବେଳେ ମହିଳାଙ୍କ ହାତରୁ ପଇସା ସରିଯିବ ତାଙ୍କର କଣ ହେବ । ସେତେବେଳେ ତାଙ୍କୁ କିଏ ଦେଖାଇବ ବଦାନ୍ୟତା । ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ ।

ରାସ୍ତା କଡରେ ପଡିଛି ପନି ପରିବା । ଗାଇ ଗୋରୁ ଖାଉଛନ୍ତି । ଟମାଟୋ ଠାରୁଆରମ୍ଭ କରି କଲରା, ଲଙ୍କା , ଯାହାକୁ ଦୈନିକ ବିକ୍ରି କରି ପରିବାର ଚଳାଉଥିଲେ ଚାଷୀ ଓ ବ୍ୟବସାୟୀ । ଲକଡାଉନର ନିର୍ଧାରିତ ସମୟରେ ଏହା ବିକ୍ରି ହୋଇପାରୁନଥିବାରୁ ଶେଷରେ ଫିଙ୍ଗି ଦେଇଛନ୍ତି ରାସ୍ତା କଡରେ । କଂଚା ପନିପରିବା ବି ରହିବ କେତେ ଦିନ । ଏହାକୁ ନେଇ ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

କରୋନା କାଳରେ ଏହା ତ ଦୁଇଟି ଦୃଶ୍ୟ ମାତ୍ର । ପ୍ରତିଦିନ ଏପରି ଦେଖିବାକୁ ମିଳୁଥିବା ଅନ୍ୟ ଅଂଚଳରେ । କରୋନାର ଅଦୃଶ୍ୟ ଭୂତାଣୁ ବିରୋଧରେ ଲଢେଇ ଭିତରେ ଖଟିଖିଆ ଲୋକଙ୍କ ଆର୍ଥିକ ସ୍ଥିତି କିପରି ଦୋହଲି ଗଲାଣି , ତାହା ଏହି ଦୃଶ୍ୟ ସବୁ ବୟାନ କରୁଛୁ ।