ତାଲାବନ୍ଦ ଭିତରେ କେମିତି ଅଛି ଓଡ଼ିଶା ? ଦିନକୁ ଦିନ ଖରାପ ହେଉଛି ବୁଲାବିକାଳିଙ୍କ ଅବସ୍ଥା । ଦିନରେ ତାଲାବନ୍ଦ, ରାତିରେ କର୍ଫ୍ୟୁ । କରୋନା ଭୟ ଓ କଟକଣା ଭିତରେ ଭାଙ୍ଗିଲାଣି ଲୋକଙ୍କ ଅଣ୍ଟା

826

କନକ ବ୍ୟୁରୋ: କରୋନା ସଂକ୍ରମଣରେ ରୋକ୍ ଲଗାଇବାକୁ ଲାଗୁ କିରଦିଆଗଲା ତାଲାବନ୍ଦ । ପ୍ରାୟ ୩ ମାସର ତାଲାବନ୍ଦରେ କରୋନା କାୟା ବିସ୍ତାର କରିବାରୁ ଟିକେ ଧିମେଇଗଲା ସତ ହେଲେ ଦୋହଲାଇଦେଲା ଛୋଟ ଛୋଟ ବ୍ୟବସାୟୀଙ୍କ ଆର୍ଥିକ ମେରୁଦଣ୍ଡକୁ । ପ୍ରତିଦିନ ରୋଜଗାର କଲେ ଘର ଚଳୁଥିବା ପରିବାର ପାଇଁ ତାଲାବନ୍ଦ ହୋଇଯାଇଛି ଅଭିଶାପ । ଯେଉଁମାନେ ଦିନେ ଭଲରେ ପରିବାର ଚଳାଉଥିଲେ ଆଜି ବଂଚିବା ପାଇଁ ସଂଘର୍ଷ କରୁଛନ୍ତି । କାରଣ ଏମାନଙ୍କ ପେଟକୁ ଲାତ ମାରିଛି ତାଲାବନ୍ଦ ।

ରାଜଧାନୀର ଯୁବକ ରାଜୀବ ପରିଡା । ପ୍ରାୟ ୬ ବର୍ଷ ହେବ ପଇଡ ବିକିଲେ ଚଳୁଛି ପରିବାର । ହେଲେ କରୋନା ପାଇଁ ତାଲାବନ୍ଦ ଆଣି ଦେଇଛି ବଡ ବିପଦ । ପାଖରେ ଯାହା ଥିଲା ଘରେ ଦିବ୍ୟାଙ୍ଗ ବାପା ଓ ପରିବାର ଚଳିବାକୁ ବି ନିଅଂଟ । କଟକର ପ୍ରଭାକର ସାହୁ । ୧୯୯୨ ମସିହାରୁ କଟକରେ କରୁଛନ୍ତି ଜଳଖିଆ ବ୍ୟବସାୟ । ହେଲେ ତାଲାବନ୍ଦ ଭାଂଗି ଦେଇଛି ଆର୍ଥିକ ମେରୁଦଣ୍ଡ । ଗୋଟିଏ ପଟେ କରୋନାର ଭୟ ଆଉ ଗୋଟିଏ ପଟେ କରୋନା ରୋକିବା ପାଇଁ ତାଲାବନ୍ଦ । କିନ୍ତୁ କରୋନା ଠାରୁ ସତେ ଯେମିତି ବଡ ବିପଦ ହୋଇଯାଇଛି ତାଲାବନ୍ଦ ।

ବିଶେଷ କରି ଉଠାଦୋକାନୀ ଓ ଛୋଟ ବ୍ୟବସାୟୀ ଏହି ତାଲାବନ୍ଦରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । କାରଣ ଏମାନେ ପ୍ରତିଦିନ ରୋଜଗାର କରନ୍ତି ଓ ଘର ଚଳାନ୍ତି । ତାଲାବନ୍ଦ ଅନେକଙ୍କ ଜୀବନ ବଂଚାଉଥିବା ବେଳେ ଏମାନଙ୍କ ପେଟ ଉପରେ କିନ୍ତୁ ବଡ ଲାତ ମାରିଛି ।

ଜୁନ୍ ମାସ ୨ୟ ସପ୍ତାହରେ ଲାଇଭମିଂଟ ନାମକ ଏକ ସଂସ୍ଥା ସର୍ଭେ କରି ଯେଉଁ ତଥ୍ୟ ପାଇଥିଲା ତାହା ଅନେକଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଥିଲା । ଏଥିରେ କୁହାଯାଇଥିଲା ସହରରେ ବସବାସ କରୁଥିବା ଲୋକଙ୍କ ମଧ୍ୟରୁ ପାଖାପାଖି ୩୦ ଭାଗ ଲୋକ ସେମାନଙ୍କ ସଂଚୟ ଖର୍ଚ କରିଦେଲେଣି ।

ଲାଇଭମିଂଟ ତାର ରିପୋର୍ଟରେ କହିଥିଲା ଭାରତର ସହରାଂଚଳରେ ବସବାସ କରୁଥିବା ଲୋକଙ୍କ ୩୦ ଭାଗ ଅର୍ଥାତ୍ ପ୍ରାୟ ୧୪ କୋଟି ଲୋକଙ୍କ ସଂଚୟ ସରିଆସିଲାଣି । ଏଥିରେ କୁହାଯାଇଥିଲା ଜୁନ୍ ଶେଷ ସୁଦ୍ଧା ତାଙ୍କର ସମସ୍ତ ସଂଚୟ ସରିଯିବ । ଏବଂ ଅତ୍ୟାବଶ୍ୟକ ଖର୍ଚ ତୁଲାଇବା ପାଇଁ ମଧ୍ୟ ସେମାନଙ୍କୁ ନୟାନ୍ତ ହେବାକୁ ପଡିବ । ଅପର ପକ୍ଷରେ ଗ୍ରାମାଂଚଳରେ ଗରିବଙ୍କ ସ୍ଥିତି ଭଲ ରହିବ ବୋଲି କୁହାଯାଇଥିଲା । ଏହି ରିପୋର୍ଟ ଆହୁରି ମଧ୍ୟ କହିଥିଲା ଲକଡାଉନ ପରଠାରୁ ୮୪ ପ୍ରତିଶତ ପରିବାରଙ୍କର ରୋଜଗାର କମିଯାଇଛି ।