ବି.ଟେକ୍ ଇଞ୍ଜିନିୟରଙ୍କୁ କରୋନା କରିଦେଲା ସିକ୍ୟୁରିଟି ଗାର୍ଡ । ସେପଟେ ରୋଜଗାର ଖୋଜୁଛନ୍ତି ହୋଟେଲ କର୍ମଚାରୀ । ସମସ୍ତଙ୍କ ମୁହଁରେ ଗୋଟିଏ କଥା, କେବେ ଫେରିବ ରୋଜଗାର?

207

କନକ ବ୍ୟୁରୋ: ବି-ଟେକ ଇଞ୍ଜିନିୟର ବନିଗଲେ ସିକ୍ୟୁରିଟି ଗାର୍ଡ । ଉଚ୍ଚଶିକ୍ଷିତ ଜଗତସିଂହପୁରର ଭକ୍ତି ପ୍ରସାଦଙ୍କୁ  କରୋନା ସଜାଇଦେଇଛି ସିକ୍ୟୁରିଟି ଗାର୍ଡ ଓ ଲଣ୍ଡ୍ରି ବଏ ।  ପେଟ ପାଇଁ ସବୁ କିଛି କରି ଏବେ ସେ ବେକାର ।  ବି.ଟେକ ସାରିବା ପରେ ଭକ୍ତିଙ୍କୁ ପୁନେରେ ପ୍ରତିଷ୍ଠିତ କମ୍ପାନୀରେ ଚାକିରି ମିଳିଥିଲା  କିନ୍ତୁ କରୋନା ପାଇଁ କମ୍ପାନୀ ବନ୍ଦ ହେଲା ଓ ଚାକରି ବି ଗଲା  । ଶେଷରେ ଯୋଗ୍ୟତା ଭୁଲି ସିକ୍ୟୁରିଟି ଗାର୍ଡ ହେଲେ ଭକ୍ତି ପ୍ରସାଦ । ଖାଲି ସେତିକି ନୁହେଁ ପରେ ଲଣ୍ଡ୍ରି ବଏ ବି ସାଜିଲେ । ହେଲେ ସଂପୃକ୍ତ ସଂସ୍ଥା ବନ୍ଦ ହେବା ପରେ ଏବେ ସେ ପୂରା ବେକାର ।

ଖାଲି ଭକ୍ତିପ୍ରସାଦ ନୁହଁନ୍ତି କରୋନା କାଳରେ  ମଲ ବ୍ୟବସାୟୀ ଓ କର୍ମଚାରୀଙ୍କ ରୋଜଗାର ମଧ୍ୟ ବନ୍ଦପଡିଛି । ଆଂଶିକ ଲକଡାଉନରେ  ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ଖୋଲିଛି, କିନ୍ତୁ ଖୋଲି ନାହିଁ ମଲ୍, ଫଳରେ ବ୍ୟବସାୟୀ ଓ  କର୍ମଚାରୀ ଚିନ୍ତାରେ ପଡିଛନ୍ତି ।  ଦରମା ମିଳୁନଥିବାକୁ ହାତ ଖାଲି, ଏପରି ସ୍ଥିତିରେ କେମିତି ଘର ଚଳିବ ଓ କେମିତି ଋଣ ସୁଝିବେ ସେ ନେଇ ସମସ୍ତେ ଚିନ୍ତାରେ ପଡିଛନ୍ତି ।  ସେମାନଙ୍କ ଦାବି, ସରକାର ଶୀଘ୍ର ମଲ ଖୋଲନ୍ତୁ ।

ସେପଟେ ପର୍ଯ୍ୟଟନ ଶିଳ୍ପକୁ ବି କରୋନା ବୁଡାଇଦେଇଛି । ପର୍ଯ୍ୟଟକ ଆସୁନାହାନ୍ତି, ହୋଟେଲ ଶିଳ୍ପ ଖାଁ ଖାଁ ।  ଦିନରେ ଗଞ୍ଜାମର ଗୋପାଳପୁର ବେଳାଭୂମିକୁ ହଜାର ହଜାର ପର୍ଯ୍ୟଟକ ଆସୁଥିଲେ, ହୋଟେଲ ବି ଖଚାଖଚ ରହୁଥିଲା । କିନ୍ତୁ ଏବେ କରୋନା ଯୋଗୁଁ  ହୋଟେଲ ପଡିଛି ଖାଁ ଖାଁ ।  ବେପାର ନହେବାରୁ ହୋଟେଲ ମାଲିକ ଅଧିକାଂଶ କର୍ମଚାରୀଙ୍କୁ ଘରକୁ ପଠାଇଦେଇଛନ୍ତି । ସ୍ଥାନୀୟ କିଛି କର୍ମଚାରୀଙ୍କୁ ନେଇ କାମ ଚାଲିଛି । ଏହାରି ଭିତରେ ଏବେ ସମସ୍ତ ମୁହଁରେ ଗୋଟିଏ କଥା, କେବେ ଫେରିବ ରୋଜଗାର ?