ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି କରୋନା : ଦିନକୁ ଦିନ ରାଜ୍ୟରେ ଚିହ୍ନଟ ହେଉଛନ୍ତି ରେକର୍ଡ ସଂଖ୍ୟକ ସଂକ୍ରମିତ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ହଜାର ନିକଟତର

216

କନକ ବ୍ୟୁରୋ : ଓଡ଼ିଶାରେ କରୋନା ବିଭିନ୍ନ କ୍ଷେତ୍ରରେ ନୂଆ ଇତିହାସ ରଚନା କରିଛି । ସଂକ୍ରମଣ ଠାରୁ ଆରମ୍ଭ କରି ନମୁନା ପରୀକ୍ଷା, ସୁସ୍ଥତାରେ ପୂର୍ବ ରେକର୍ଡକୁ ଅତିକ୍ରମ କରିଛି । ରାଜ୍ୟ‌ରେ କରୋନାର ଦୈନିକ ସଂକ୍ରମଣ ୩ ହଜାର ନିକଟତର ହୋଇଛି । ଗତକାଲି ରାଜ୍ୟରେ ୨,୯୯୩ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଯାହାକି ରାଜ୍ୟରେ ଏ ପର୍ଯ୍ୟନ୍ତ ସର୍ବାଧିକ । ଏଥିରେ ଖୋର୍ଧା ଜିଲ୍ଲାରୁ ୬୦୬ଜଣ ରୋଗୀ ରହିଛନ୍ତି । ଯାହାକି ଜିଲ୍ଲା ପାଇଁ ମଧ୍ୟ ସର୍ବାଧିକ । ଖୋର୍ଧା ଜିଲ୍ଲାରେ ସଂକ୍ରମଣ ଏବେ ଉପରମୁହାଁ ହୋଇଛି । ପ୍ରତ୍ୟେକ ଦିନ ନୂଆ ନୂଆ ରେକର୍ଡ ହେଉଛି ଜିଲ୍ଲାରେ । ଖୋର୍ଧାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୮୯୪ରେ ପହଞ୍ଚି ଗଲାଣି । ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ସଂଖ୍ୟକ କୋଭିଡ୍‌ ନମୁନା ପରୀକ୍ଷା ‌ହୋଇଛି। ୬୧ହଜାର ୧୬୬ ରାପିଡ୍‌ ଆଣ୍ଟିଜେନ୍ ଓ ୭,୫୮୫ ଆରଟି-ପିସିଆର ନମୁନାକୁ ମିଶାଇ ୬୮,୯୦୬ ନମୁନା ପରୀକ୍ଷା କରାଯାଇଛି। ଏଥିରେ ଗଞ୍ଜାମରେ ସର୍ବାଧିକ ୮,୫୫୯ ନମୁନା ପରୀକ୍ଷା ହୋଇଛି । ଯାହାଫଳରେ ଗତ ୨୪ଘଣ୍ଟାରେ ରାଜ୍ୟରେ ‌ଟେଷ୍ଟ ପଜିଟିଭ୍ ରେଟ୍ ୪.୩୪ ପ୍ରତିଶତକୁ ଖସି ଆସିଛି ।

ରାଜ୍ୟରେ ସର୍ବାଧିକ ସକ୍ରିୟ ରୋଗୀ ଖୋର୍ଧା ଜିଲ୍ଲାରେ ରହିଛନ୍ତି। ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫ ହଜାରରୁ ଅଧିକ ରହିଛି। ଗଞ୍ଜାମରେ କରୋନା ରୋଗୀ ସୁସ୍ଥ ହାର ୮୫ ପ୍ରତିଶତ ଥିବା ବେଳେ କଟକରେ ଏହା ୬୦ ପ୍ରତିଶତରୁ ଅଧିକ ରହିଛି। ହେଲେ ଖୋର୍ଧା ଜିଲ୍ଲାରେ ଏହାର ୫୬ ପ୍ରତିଶତ ରହିଛି । ଫଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି ।