କରୋନା ଯୋଗୁଁ ସଙ୍କଟରେ ବେଉସା: ଚିନ୍ତାରେ ଗଞ୍ଜାମର ଡେରା କଳାକାର 

83

କନକ ବ୍ୟୁରୋ: ପଶୁମୁଖା କଳା ଓ ମୂର୍ତି କାରୁକାର୍ଯ୍ୟ ପାଇଁ ନିଆରା ପରିଚୟ ସୃଷ୍ଟି କରିଥିବା ଗାଁ ଗଂଜାମ ଜିଲ୍ଲାର ବଡ଼କୋଦଣ୍ଡା ଗାଁ । ଗାଁର ପ୍ରଥା, ପରମ୍ପରା ଅନ୍ୟଠାରୁ ନିଆରା । ଗାଁର ସବୁ କଳାକାର ନିଜ କଳାକୁ ପ୍ରଦର୍ଶିତ କରିବା ପାଇଁ କାଠ, ଗୋବର ଓ ବାଉଁଶ ପାତିଆର ତିଆରି କରନ୍ତି ସୁନ୍ଦର ମୂର୍ତି । ଆଉ ସେହି ମୂର୍ତିକୁ ବସ୍ତ୍ର ପିନ୍ଧାଇ ଗାଁ ଦାଣ୍ଡରେ ସଜେଇ ରଖନ୍ତି, ଯାହାକୁ ଦେଖିଲେ ଗାଁଟି ରଣକ୍ଷେତ୍ରର ଭ୍ରମ୍ ସୃଷ୍ଟି କରେ ।

ଭଂଜନଗର ଉପଖଣ୍ଡର ସବୁଠାରୁ ବଡ଼ ଓ ଅଧିକ ଜନସଂଖ୍ୟା ବିଶିଷ୍ଟ ଗାଁ ବଡ଼କୋଦଣ୍ଡା ଗାଁ । ଗାଁର ଦୁଇ ମୁଣ୍ଡରେ ରହିଛି ୨ଟି ବଡ଼ ମନ୍ଦିର । ଗୋଟିଏ ପଟେ ଜଗନ୍ନାଥ ମନ୍ଦିର,  ଅନ୍ୟପଟେ ଗାପିନାଥ । ଆଉ ଏକ ବଡକଥା ହେଲା ଗାଁରେ ୩ଶହରୁ ଉର୍ଦ୍ଧ କଳାକାର ଅଛନ୍ତି । ବିଭିନ୍ନ ପ୍ରକାର ମୂର୍ତି ତିଆରି କରି ସେଗୁଡିକୁ ବସ୍ତ୍ର ପିନ୍ଧାଇ ଗାଁ ଦାଣ୍ଡରେ ଉଭୟ ପଟେ ସଜେଇ ରଖନ୍ତି କଳାକାର । ତାଙ୍କର ଏହି କଳାକୁ ଡେରା ବୋଲି କୁହାଯାଉଥିବା ବେଳେ ଏହି ମୂର୍ତି ପ୍ରଦର୍ଶିତ ଉତ୍ସବରକୁ ଡେରାବେଶ ଯାତ୍ରା ବୋଲି କୁହାଯାଏ ।

ଦାଣ୍ଡର ଗୋଟିଏ ପଟେ ରାମ, ଲକ୍ଷ୍ମଣ, ହନୁମାନ, ଘୋଡ଼ା, ବୃଷଭ ଓ ହାତୀର ଡ଼େରା ବେଶ ପଶରା ମେଲାଯାଇଛି । ସେହିଭଳି ଅନ୍ୟପଟେ ରାବଣ, ମହିରାବଣ, ମହାବଳ ବାଘ, ଧଳାବାଘ, କଳାଘୋଡ଼ା, ସିଂହ, ମୟୁର, ହରିଣ ଚଇତି ଘୋଡ଼ା ଓ ନବଗୁଜଂର ଭଳି ମୂର୍ତି ଲୋକଙ୍କୁ ଆକୃଷ୍ଟ କରୁଛି । ଏଇ ସବୁ ମୂର୍ତି ବା କଣ୍ଢେଇ ରାମାୟଣ ସମୟର ଚିତ୍ର ଓ ଚରିତ୍ରଙ୍କୁ ମନେ ପକାଇ ଦେଉଛି ।

କରୋନା କଳାକାରଙ୍କ ବେଉସା ଉପରେ ଚଡ଼କ ପକାଇଥିବା ବେଳେ କଳାକୁ ନେଇ  ବଂଚିବାର ରାହା ଛାଡ଼ି ନାହିଁନ୍ତି ବଡକୋଦଣ୍ଡ ଗାଁର କଳାକାର । ତେବେ ଗାଁର କିଛି କଳାକାରକୁ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ କଳାକାର ଭତା ମିଳୁଛି । ଅନ୍ୟ କଳାକାର ମାନଙ୍କୁ ମଧ୍ୟ ଭତା ଯୋଗାଇ ଦେବାକୁ ଦାବି ହେଉଛି ।