କନକ ବ୍ୟୁରୋ : ଗଂଜାମ ପରେ ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ଚିନ୍ତା ବଢାଇଦେଇଛି । ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ଜିଲ୍ଲା ତାଲିକାର ଶୀର୍ଷରେ ରହିଛି ଖୋର୍ଦ୍ଧା । ଗତ ୨୪ ଘଂଟାରେ ୬୬୩ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ୧୪୫ ଛୁଇଁଛି । ସେମାନଙ୍କ ମଧ୍ୟରୁ ୨୩ ହଜାର ୪୮୪ ଜଣ ସୁସ୍ଥ ହୋଇଥିବା ବେଳେ ୬ହଜାର ୫୪୮ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ କେହି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନାହିଁ । ସଂକ୍ରମଣ ତାଲିକାରେ ରାଜ୍ୟରେ ପ୍ରଥମରେ ରହିଛି ଖୋର୍ଦ୍ଧା ଜିଲ୍ଲା ।

Advertisment

ସେପଟେ ଦୈନିକ ସଂକ୍ରମଣ ଚିହ୍ନଟ ମାମଲାରେ ଖୋର୍ଦ୍ଧା ପଛକୁ ରହିଛି କଟକ ଜିଲ୍ଲା । ଦୈନିକ ଆକ୍ରାନ୍ତ ସଂଖ୍ୟା ଓ ଆକ୍ଟିଭ କେସରେ କଟକ ରାଜ୍ୟର ଦ୍ୱିତୀୟ ସ୍ଥାନରେ ଥିବା ବେଳେ ମୋଟ ସଂକ୍ରମଣ ମାମଲା ଏବଂ ମୃତ୍ୟୁ ମାମଲାରେ ତୃତୀୟ ସ୍ଥାନରେ ରହିଛି । ଗତ ୨୪ ଘଂଟାରେ ଚିହ୍ନଟ ୪୯୧ ଆକ୍ରାନ୍ତଙ୍କୁ ମିଶାଇ କଟକ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୪୮୫କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୧ହଜାର ୭୧୮ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୭୦୬ ରହିଛି । ବର୍ତମାନ ସୁଦ୍ଧା କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୭କୁ ବୃଦ୍ଧି ପାଇଛି ।

ଏପଟେ ପୁରୀ ଜିଲ୍ଲାରେ ମଧ୍ୟ ହୁ ହୁ ହୋଇ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁରୀ ଜିଲ୍ଲାରେ ୩୨୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୯୧୩କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୫ ହଜାର ୭୭୭ଜଣ ସୁସ୍ଥ ହୋଇଥିବା ବେଳେ ୨ହଜାର ୯୮ ଆକ୍ଟିଭ ମାମଲା ରହିଛି । ବର୍ତମାନ ସୁଦ୍ଧା ପୁରୀ ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରମଣରେ ୩୫ଜଣ ପ୍ରାଣ ହରାଇଛନ୍ତି ।