କନକ ବ୍ୟୁରା: ଓଡିଶାର ଟ୍ରିପଲ ଟ୍ରେନ ଦୁର୍ଘଟଣା ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଏହି ଭୟଙ୍କର ଦୁର୍ଘଟଣାରେ ଅକାଳରେ ୨୭୫ ଜୀବନ ଚାଲିଯାଇଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ଦୁର୍ଘଟଣା ପାଇଁ ସିଗନାଲରେ ତ୍ରୁଟି ମୁଖ୍ୟ କାରଣ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିବାବେଳେ ଅଧିକ ତଦନ୍ତ ଜାରି ରହିଛି । ଘଟଣାକୁ ୪ ଦିନ ବିତିଯାଇଥିଲାବେଳେ ଟ୍ରେନ ଗୁଡିକର ଡ୍ରାଇଭରଙ୍କ ବିଷୟରେ ଜାଣିବାକୁ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ରହିଛି ।

Advertisment

ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ୨ଟି ଟ୍ରେନର ଲୋକୋପାଇଲଟ୍ ଓ ଗାର୍ଡ ଆହତ ହୋଇଥିବାବେଳେ ସେମାନଙ୍କ ଓଡିଶାର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସୌଭାଗ୍ୟରୁ ମାଲବାହୀ ଇଞ୍ଜିନର ଚାଳକ ଓ ଗାର୍ଡରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଦକ୍ଷିଣ ପୂର୍ବ ରେଲୱେ ଖଡଗପୁର ଡିଭିଜନର ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ରାଜେଶ କୁମାରଙ୍କ ସୂଚନା ମୁତାବକ, କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ୍ ଓ ସହାୟକ ଲୋକୋ ପାଇଲଟ୍ ଓ ଗାର୍ଡଙ୍କ ସମେତ ବେଙ୍ଗାଳୁରୁ -ହାୱଡା ଏକ୍ସପ୍ରେସର ଲୋକୋ ପାଇଲଟ୍ ଓ ଗାର୍ଡ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଅଲଗା ଅଲଗା ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

୩ଟି ଟ୍ରେନ ମଧ୍ୟରେ ଧକ୍କା ଘଟଣାରେ ଡ୍ରାଇଭରଙ୍କ ବୟାନ ରେକର୍ଡ କରାଯାଇଥିବା ସୂଚନା ମିଳିଛି । ସିଗ୍ନାଲରେ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଡ୍ରାଇଭର କହିଥିବା ଜଣାପଡିଛି ।