ଉପରମୁହାଁ କରୋନା ସଂକ୍ରମଣ: ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କଟକଣା ଲଗାଇଲେ ସ୍ଥାନୀୟ ପ୍ରଶାସନ; ପାରଳାଖେମୁଣ୍ଡିରେ ୩ଦିନିଆ ସଟଡାଉନ୍

ଆଜି ରାତି ୮ଟାରୁ ରବିବାର ରାତି ୧୨ଟା ଯାଏଁ ମାଲକାନଗିରିର ଓ ବାଲିମେଳା ସଟଡାଉନ୍

490

କନକ ବ୍ୟୁରୋ: ସଂକ୍ରମଣ ବଢୁଛି ସଟଡାଉନ୍ ବଢୁଛି । ମାଲକାନଗିରି ସ୍ଥିତି ସଙ୍ଗିନ । ଆଜି ପୁଣି ନୁଆ ୧୮ ପଜିଟିଭ ଚିହ୍ନଟ ହୋଇ ଥିବା ବେଳେ ଅଧିକାଂଶ ଲୋକାଲ କେସ ବୋଲି ଜଣାପଡିଛି । ବିଶେଷ କରି ମାଲକାନନଗିରି ଜିଲ୍ଲା ସଦର ମହକୁମାର ପ୍ରାୟ ସମସ୍ତ ଓାର୍ଡରେ ଏବେ କୋରୋନା ବ୍ୟାପୁଛି । ବାଲିମେଳା ବିଜ୍ଞାପିତ ଅଂଚଳ ସହ ଗ୍ରାମାଂଚଳରେ ମଧ୍ୟ ଏବେ କୋରୋନା ଚିହ୍ନଟ ହେବାରେ ଲାଗି ଥିବା ବେଳେ ଅନେକଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ଜଣା ପଡିଛି । ଜିଲ୍ଲାରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୩୪ ରହିଛି । ସଂକ୍ରମଣକୁ ରୋକିବା ଲାଗି ଆଜି ରାତି ୮ରୁ ରବିବାର ରାତି ୧୨ ଯାଏଁ ମଲାକାନଗିରି ଓ ବାଲିମେଳାରେ ସଟଡାଉନ । ସହର ର ବିଭିନ୍ନ ଅଂଚଳରେ କଟେଂନମେନ୍ଟ ଯୋନ ଘୋଷଣା କରାଯାଇଛି । ଏ ନେଇ ଅଧିକ ସୁଚନା ଦେଉଛନ୍ତି ଆମ ପ୍ରତିନିଧୀ ଦେବବ୍ରତ ସାନା ।

ଆଜିଠାରୁ ୩ ଦିନ ଧରି ପାରଳାଖେମୁଣ୍ଡି ସଟଡାଉନ । ଅତି ଜରୁରୀ ନଥିଲେ ବାହାରକୁ ଯିବାକୁ ମନା କରାଯାଇଛି ।ପାରଳାଖେମୁଣ୍ଡି ସହରରେ ଅଧିକ ସଂଖ୍ୟକ ପଜିଟିଭ ଚିହ୍ନଟ ପରେ ସଟଡାଉନ ଘୋଷଣା କରିଛି ପ୍ରଶାସନ । ଏହି ସମୟରେ ଘରକୁ ଘରକୁ ବୁଲି ସର୍ଭେ କରାଯିବ । ଏଥିପାଇଁ ୫୬ଟି ଟିମ ନିୟୋଜିତ ଅଛନ୍ତି । ଜିଲ୍ଳାରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସଟଡାଉନ ନିଷ୍ପତି ନିଆଯାଇଛି । କ୍ଷୀର ଓ ଓøଷଧ ଛଡା ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

ମାଲକାନଗିରି ମାଥିଲିରେ ବି ସଟଡାଉନ୍ ପାଳନ ହେଉଛି । ଦିନିକିଆ ସଟଡାଉନ ଘୋଷଣା କରିଛନ୍ତି ସରପଂଚ । ମାଲକାନଗିରି , ଗୋବିନ୍ଦପାଲି ଅଂଚଳରେ ପ୍ରତିଦିନ ମାଥିଲି ସହିତ ଶହ ଶହ ଲୋକଙ୍କ ଯୋଗାଯୋଗ ଥିବାରୁ ଦିନିକିଆ ସଟଡାଉନ୍ ହୋଇଛି । ଆଜି ସକାଳ ୭ ଠାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ସଟଡାଉନ୍ ହୋଇଛି ମାଥିଲି । ସଟଡାଉନ୍ କୁ କଡାକଡି କରାଯାଇଛି । ଆଜି ମାଥିଲିରେ ସାପ୍ତାହିକ ହାଟ ବସିବାକୁ ବି ବନ୍ଦ କରାଯାଇଛି । ଦୋକାନ ବଜାର ବନ୍ଦ ରହିବା ସହ ଯାନବାହାନ ଚଳାଚଳ ବନ୍ଦ ରହିଛି ।

କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ବାଲେଶ୍ୱର ସଦର ୨ ପଂଚାୟତକୁ ସଟଡାଉନ ଘୋଷଣା । ଆଙ୍କୋ ଓ କାଶୀପଡା ପଂଚାୟତର ୧୨ଟି ଗାଁକୁ ସଟଡାଉନ କରାଯାଇଛି । ୧୪ ତାରିଖ ସକାଳ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଅତି ଆବଶ୍ୟକ ନଥିଲେ ଘରୁ ବାହାରିବାକୁ ମନା କରାଯାଇଛି । କେବେଳ ଜରୁରୀ କାଳୀନ ସେବାକୁ ବାଦ ଦିଆଯାଇଛି । କେବଳ ଏହି ଦୁଇଟି ପଂଚାୟତରୁ ୩୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏହି ପଦକ୍ଷେପ ନିଆଯାଇଛି । ଏହି ସମୟରେ ସଂପୃକ୍ତ ଅଂଚଳରେ କଂଟାକ୍ଟ ଟ୍ରେସିଂ କରାଯିବ ।

ଗତକାଲି ୮୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଅଧିକ ସତର୍କ ହୋଇଛି ସୁନ୍ଦରଗଡ ପ୍ରଶାସନ । ରାଉରକେଲା ମହାନଗର ନିଗମ, ଇସ୍ପାତ ସହରାଂଚଳ ଓ କଳୁଙ୍ଗା ଶିଳ୍ପାଂଚଳରେ ପ୍ରତି ଶନିବାର ଓ ରବିବାର ସଟଡାଉନ୍ ଘୋଷଣା କରିଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ସ୍ଥାନୀୟ ଅଂଚଳରେ ସଂକ୍ରମଣ ବଢୁଥିବା ବେଳେ ଏହାକୁ ରୋକିବା ପାଇଁ କଡା ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଏହି କଟକଣା ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ ଏବଂ ଅନ୍ୟ ସବୁ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ନାମାରେ ଉଲ୍ଲେଖ ରହିଛି ।

ଏହାର ଖିଲାପ କଲେ ଖିଲାପକାରୀଙ୍କ ବିରୋଧରେ ଆଇନ୍ ଅନୁôଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବିଜ୍ଞପ୍ତିରେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଉଲ୍ଲେଖ କରିଛନ୍ତି । କଟକଣା ସମୟରେ ଜିଲ୍ଲା ମଧ୍ୟରେ ସାଧାରଣ ପରିବହନ ଗାଡି ଚଳାଚଳ, ଦୋକାନବଜାର, ସରକାରୀ ଓ ଘରୋଇ କାର୍ଯ୍ୟାଳୟ ସଂପୂର୍ଣ୍ଣ ବନ୍ଦ ରହିବ । ସ୍ୱାସ୍ଥ୍ୟସେବା, ଜିଲ୍ଲା ଓ ମ୍ୟୁନସିପାଲ୍ଟି ପ୍ରଶାସନ, ପୋଲିସ, ଅଗ୍ନିଶମ ସେବା ଆଦି ଜାରି ରହିବ । ଗ୍ରୋସରୀ ଦୋକାନ ଓ କ୍ଷୀର ବୁଥ ସକାଳ ୬ଟାରୁ ୨ଟା ଯାଏଁ ଖୋଲା ରହିବ ବୋଲି କୁହାଯାଇଛି । ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ମାଲ ପରିବହନ ସ୍ୱାଭାବିକ ଭାବେ ଚାଲିବ ।