କନକ ବ୍ୟୁରୋ : ବହୁ ପରିଶ୍ରମ କରି ମକା ଅମଳ କରିଥିଲା ଚାଷୀ । ଏବେ ମଣ୍ଡି ଅଭାବରୁ ମକାର ଅଭାବୀ ବିକ୍ରି ଆରମ୍ଭ ହୋଇଯାଇଛି । ଯାହା ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଯେଉଁ ମକାକୁ କ୍ୱିଂଟାଲ ପିଛା ୧୬ରୁ ୧୮ ଶହ ଟଙ୍କାରେ ଚାଷୀ ବିକ୍ରି କରୁଥିଲା ଏବେ ଏହି ଦର ଖସି ପହଂଚିଛି ୯୦୦ଟଙ୍କାରେ ।

Advertisment

ଏ ଘଟଣା ହେଉଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡର । ହଜାର ହଜାର ହେକ୍ଟର ଜମିରେ ମକା ଫସଲ ହୋଇଛି । ଧାନ ଓ କପା ପରେ ତୃତୀୟ ଲାଭକାରୀ ଫସଲ ମକା ଉତ୍ପାଦନ କରି ଭଲ ଦି ପଇସା ରୋଜଗାର କରିବେ ବୋଲି ଚିନ୍ତା କରିଥିଲେ ଚାଷୀ । କିନ୍ତୁ ସବୁ ଫସର ଫାଟିଗଲା । ଚଳିତ ବର୍ଷ ମଣ୍ଡି ଅଭାବରୁ ଅଭାବୀ ବିକ୍ରିର ଶିକାର ହୋଇଛି ଚାଷୀ ।

ମଣ୍ଡି ଅଭାବରୁ ଦଲାଲ ହାତରେ କ୍ୱିଂଟାଲ ପିଛା ୯ଶହରୁ ହଜାରେ ଟଙ୍କାରେ ମକା ବିକ୍ରି ହେଉଥିବା ଅଭିଯୋଗ ଆସିଛି । ଗତ ବର୍ଷ ଏହି ଦର ଥିଲା କ୍ୱିଂଟାଲ ପିଛା ୧୬ରୁ ୧୮ଶହ ଟଙ୍କା । ଚଳିତ ଖରିପ ଋତୁରେ ଧର୍ମଗଡ ଉପଖଣ୍ଡରେ ୨୦ ହଜାର ହେକ୍ଟର ଜମିରେ ମକା ଚାଷ ହୋଇଛି । ପ୍ରଥମେ ବର୍ଷାର ଅଭାବ ଏବଂ ପରେ ଲଗାଣ ବର୍ଷା ଯୋଗୁଁ, ଅମଳ ବେଳକୁ ବିଲରେ ମକା ଗଜା ହୋଇଥିଲା । ଆଉ ଏବେ ମଣ୍ଡିର ଅଭାବ ଚାଷୀକୁ ଭାବିବାକୁ ବାଧ୍ୟ କରିଛି, ଋଣ କେମିତି ସୁଝିବ । ସରକାର ତୁରନ୍ତ ଏ ଦିଗରେ ଧ୍ୟାନ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।