ମକା ଚାଷୀଙ୍କୁ ମିଳୁନି ଏମଏସପି ଦର । ଶାଗମାଛ ଦରରେ ମକା ବିକୁଛି ଚାଷୀ, ମକାଚାଷୀର ମନର କଥା ଶୁଣ ସରକାର ।

75
କନକ ବ୍ୟୁରୋ: ଲୋକେ ପାରମ୍ପରିକ ଚାଷ କାମରୁ ଧିରେ ଧିରେ ବିଭିନ୍ନ ଅର୍ଥକାରୀ ଫସଲ ଆଡକୁ ମୁହାଁଉଛନ୍ତି । ହେଲେ ଫସଲ ଅମଳ ପରେ ଚାଷୀଙ୍କୁ ଚିନ୍ତାରେ ପକାଉଛି  ବିକ୍ରୀ ସମସ୍ୟା । ବଲାଙ୍ଗିର ଜିଲ୍ଲାରେ ଜଳ ସେଚନର ଅଭାବ ଯୋଗୁଁ ପ୍ରାୟ ଅଧିକାଂଶ ଚାଷୀ କମ ସମୟରେ ଅଧିକ ଲାଭ ଆଶାରେ ମକା ଚାଷ କରି ହରଡଘଣାରେ ପଡିଛନ୍ତି । କାରଣ ସରକାରଙ୍କ ଏମ୍ଏସପି ଦର ଠାରୁ ଢେର କମରେ ବଜାରରେ ବିକ୍ରି ହେଉଛି ମକା ।
ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲାର ମାତ୍ର ୩ ପ୍ରତିଶତ ଜମିରେ ଜଳ ସେଚନ ହୋଇଥାଏ । ତେଣୁ ଜିଲ୍ଲାର ଚାଷୀ ପରମ୍ପରିକ ଧାନ ଛାଡି ଧିରେ ଧିରେ ମକା ଭଳି ଅର୍ଥକାରୀ ଫସଲ ଆଡକୁ ମୁହାଁଉଛନ୍ତି । ଧାନ ଓ କପା ତୁଳନାରେ ମକା ଚାଷରେ କମ୍ ପାଣି ଖର୍ଚ ହେଉଥିବା ବେଳେ କମ୍ ସମୟ ଲାଗୁଛି । ପାଣି ସମସ୍ୟା ସିନା ଦୂର ହେଉଛି, ହେଲେ ମକା ଚାଷୀଙ୍କୁ ଅଡୁଆରେ ପକାଇଛି ଅଭାବି ବିକ୍ରି ।
ଜିଲ୍ଲା କୃଷି ନିର୍ଦେଶକଙ୍କ କହିବା ଅନୁସାରେ ଜିଲ୍ଲାରେ ୬,୮୧୪ ହେକ୍ଟର ଜମିରେ ମକା ଚାଷ କରିଥିଲେ ଚାଷୀ । ଜିଲ୍ଲାରେ ମକା ମଣ୍ଡିର ବ୍ୟବସ୍ଥା ନଥିବାରୁ ଚାଷୀ ବାଧ୍ୟ ହୋଇ ଏମଏସପି ଠାରୁ ଖୁବ୍ କମ୍ ଦରରେ ମକା ବିକ୍ରି କରୁଛନ୍ତି । ମକାର ଏମ୍ଏସ୍ପି ଦର ୧୮ଶହ ଥିବା ବେଳେ ବଲାଙ୍ଗୀରର ଚାଷୀ ୧୧ରୁ ୧୨ଶହ ଟଙ୍କାରେ ବିକ୍ରି କରୁଛନ୍ତି । ମଣ୍ଡିର ଅଭାବ ଥିବାରୁ ବ୍ୟବସାୟୀମାନେ ମାଲାମାଲ ହେଉଥିବା ବେଳେ କ୍ଷତି ସହୁଛନ୍ତି ଚାଷ ଜମିରେ ରକ୍ତକୁ ପାଣି କରିଥିବା ଚାଷୀ ।
ସରକାର ବଲାଙ୍ଗୀର ମକା ଚାଷ ଓ ଚାଷୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ମଣ୍ଡିର ବ୍ୟବସ୍ଥା କଲେ ଚାଷୀ ଉପକୃତ ହେବେ ବୋଲି ସାଧାରଣରେ ଦାବି ହେଉଛି ।