ପୋଖରୀପୁଟ ଡିଏଭି ସ୍କୁଲର ଡ୍ୟାନ୍ସ ଶିକ୍ଷକଙ୍କ ମୃତ୍ୟୁ ନେଇ ବଢୁଛି ସନ୍ଦେହ। ଛାତ୍ର କହିଲେ, କାହା ସହିତ ନଥିଲା ଶତ୍ରୁତା

୪ ଦିନ ନିଖୋଜ ହେବା ପରେ ପିପିଲିର ଏକ ପଥର ଖାଦାନରୁ ମିଳିଥିଲା ମୃତଦେହ

1,268

କନକ ବ୍ୟୁରୋ: ପୋଖରୀପୁଟ ଡ୍ୟାନ୍ସ ଟିଚର ବିକାଶ ନାୟକଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ । ୪ ଦିନ ତଳେ ନିଖୋଜ ହୋଇଥିଲେ । ଗତକାଲି ପିପିଲିରେ ଏକ ପଥର ଖାଦାନରେ ଥିବା ଏକ ପୋଖରୀରୁ ମିଳିଥିଲା ତାଙ୍କର ମୃତଦେହ । ତେବେ ଡ୍ୟାନ୍ସ ଟିଚର ବିକାଶ ନାୟକଙ୍କ ଏପରି ଅକାଳ ବିୟୋଗକୁ ନେଇ ତାଙ୍କ ଠାରୁ ନୃତ୍ୟ ଶିକ୍ଷା କରୁଥିବା ଡିଏଭି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖେଳିଯାଇଛି ଶୋକ । ବିକାଶଙ୍କୁ ଅତି ନିକଟରୁ ଜାଣିଥିବା ତାଙ୍କର ଛାତ୍ର ବିକାଶଙ୍କୁ ନେଇ ଏପରି କିଛି ଖୁଲାସା କରିଛନ୍ତି, ଯାହା ଆଗାମୀ ତଦନ୍ତର ଦିଗ ପ୍ରତି ବେଶ୍ ସହାୟକ ହୋଇପାରେ  ।

 

ବିକାଶଙ୍କ ଛାତ୍ରଙ୍କ କହିବା ଅନୁସାରେ ବିକାଶ ସାର୍ ବେଶ୍ ମେଳାପୀ ଥିଲେ । ତାଙ୍କର କାହା ସହିତ କୌଣସି ଶତ୍ରୁତା ନଥିଲା । କେବଳ ସେତିକି ନୁହଁ ବିକାଶଙ୍କର କୌଣସି ଖରାପ ଅଭ୍ୟାସ ନଥିଲା କିଂବା ସେ ମଦ ପିଅନ୍ତି ନାହିଁ ବୋଲି କହିଛନ୍ତି ଛାତ୍ର ଜଣକ । ତେବେ ବିକାଶଙ୍କ ମୃତଦେହ ମିଳିବା ସ୍ଥାନ ନିକଟରେ ମଦ ବୋତଲ ମିଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିକାଶଙ୍କ ମୃତ୍ୟୁ କିପରି ହେଲା, ପିପିଲି ନିକଟରେ ଥିବା ପଥର ଖାଦନ ନିକଟକୁ ସେ କିପରି ଗଲେ ।

ତାଙ୍କର ମୃତ୍ୟୁ ଏକ ସୁପରିକଳ୍ପିତ ହତ୍ୟା ବୋଲି ପରିବାର ଲୋକେ ଦାବି କରୁଛନ୍ତି । ତେବେ ପୋଲିସ ଶବ ବ୍ୟବଛେଦ କରି ତଦନ୍ତ କରୁଛି । ଏଯାଏଁ ପୋଷ୍ଟ ମର୍ଟମ୍ ରିପୋର୍ଟ ବି ଆସିନି । ପୋଖରୀରୁ ବିକାଶଙ୍କ ଉଦ୍ଧାର ବେଳେ ତାଙ୍କ ଦେହରେ କୌଣସି ପୋଷାକ ନଥିବାରୁ ଏହା ହତ୍ୟା କି ଆତ୍ମହତ୍ୟା ସେ ନେଇ ଅଧିକ ସନ୍ଦେହ ପ୍ରକାଶ ପାଇଛି ।