କନକ ବ୍ୟୁରୋ: ଗଂଜାମ ଜିଲ୍ଲା ହିଂଜିଳି ଥାନା ଘେରାଉ କରିଥିବା ଲୋକଙ୍କ ଉପରେ ପୋଲିସର ଲାଠ ଚାର୍ଜ । ଥାନାରେ ଅଟକ ଥିବା ୫ ଜଣ ଗ୍ରାମବାସୀଙ୍କୁ ମୁକ୍ତ କରିବା ଦାବିରେ ଶତାଧିକ ଲୋକ ଥାନା ଆଗରେ ଆଜି ସକାଳୁ ପ୍ରତିବାଦ କରିଥିଲେ । ଏତେ ସଂଖ୍ୟାରେ ଲୋକଙ୍କୁ ଦେଖି ସେମାନଙ୍କୁ ଥାନା ଆଗରୁ ହଟାଇବାକୁ ଯାଇ ପୋଲିସ ଲାଠି ମାଡ କରିଛି । ଗୋଡେଇ ଗୋଡେଇ ବିକ୍ଷୋଭକାରୀଙ୍କୁ ପିଟିଛି ପୋଲିସ । ହିଂଜିଳି ଥାନା ଅନ୍ତର୍ଗତ କୋଳିଦାଶପୁର ଦେଇ ପ୍ରତ୍ୟକ ଦିନ ଚାଲୁଛି ବାଲିଚାଲଣ ।
ଗତକାଲି କିଛି ଦୁବୃର୍ତ ବାଲି ଗାଡି ଗୁଡିକରେ ନିଆଁ ଲଗାଇ ପୋଡି ଦେଇଥିଲେ । ଗାଡିକୁ ପୋଡି ଦେବା ଅଭିଯୋଗରେ ପୋଲିସ ଗତକାଲି ରାତିରେ କୋଳିଦାଶପୁର ଗାଁରେ ଚଢାଉ କରି ୫ଜଣଙ୍କୁ ଥାନାକୁ ଆଣି ଅଟକ ରଖିଥିଲା । ଏହାର ପ୍ରତିବାଦରେ ଆଜି ଶତାଧିକ ଲୋକ ଥାନା ଘେରାଉ କରିଥିଲେ । ଅଟକ ଥିବା ଲୋକଙ୍କୁ ମୁକ୍ତ କରି ବାଲି ମାଫିଆଙ୍କୁ ଗିରଫ କରିବାକୁ ଲୋକମାନେ ଦାବି କରିଥିଲେ । ଏବଂ ଶେଷରେ ଅଟକ ଥିବା ୫ଜଣଙ୍କୁ ପୋଲିସ ଛାଡି ଦେଇଥିବା ଜଣାପଡିଛି ।