ଗାଡି ପାର୍କିଂକୁ ନେଇ ପୋଲିସ-ଓକିଲ ମୁହାଁମୁହିଁ । ଗୁଳି ଚାଳନାରେ କାରରେ ଲାଗିଲା ନଆଁ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ଓକିଲ

ପୁଲିସ ଓ ଓକିଲଙ୍କ ମଧ୍ୟରେ ମାରପିଟ୍

228

କନକ ବ୍ୟୁରୋ: ଉତ୍ତର ଦିଲ୍ଲୀର ତିସ୍ ହଜାରୀ ଅଦାଲତ ପରିସରରେ ଶୁକ୍ରବାର ଅପରାହ୍ନରେ ପୁଲିସ୍ ଓ ଓକିଲ ମୁହାଁମୁହିଁ । ପୁଲିସ ଓ ଓକିଲଙ୍କ ମଧ୍ୟରେ ମାରପିଟ୍ ହେବା ସହ ଗୁଳି ଚାଳନା ହୋଇଥିଲା । ଏହି ଗୁଳି ଚାଳନାରେ ଏକ ପୁଲିସ୍ ଗାଡ଼ିରେ ନିଆଁ ଲାଗି ଯାଇଛି । ଏହା ସହିତ ଜଣେ ଓକିଲ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ସେଣ୍ଟ୍ ଷ୍ଟିଫେନ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଗାଡ଼ି ପାର୍କିଂକୁ ନେଇ ବିବାଦ ଉପୁଜିବା ପରେ ପ୍ରଥମେ ପୁଲିସ୍ ଗୁଳି ଚାଳନା କରିଛି ବୋଲି ଓକିଲ ଅଭିଯୋଗ ଆଣିଥିଲେ । କିନ୍ତୁ ପୁଲିସ୍ ସୂତ୍ରରୁ ଏଯାବତ୍ କୌଣସି ସୂଚନା ମିଳିନାହିଁ। ଏହି ବିବାଦ ସମୟରେ ସେଠାରେ ଉପସ୍ଥିତ ଥିବା କିଛି ସାମ୍ବାଦିକଙ୍କୁ ବି ମାଡ଼ ମରାଯାଇଛି ବୋଲି ସୂଚନା ରହିଛି।
ଜାଣିବାକୁ ମିଳିଛି ଯେ କିଛି ପୁଲିସ୍ କର୍ମୀଙ୍କ ଉପରକୁ ବି ଗୁଳି ଚାଳନା କରାଯାଇଛି। ତେବେ, ନିଆଁ ଲିଭାଇବା ପାଇଁ ସଂପୃକ୍ତ ଅଞ୍ଚଳରେ ଦମକଳ ଗାଡ଼ି ଆସି ପହଞ୍ଚିଛି। ଓକିଲ୍ କୋର୍ଟ ଗେଟରେ ତାଲା ପକାଇ ଦେଇଥିବା ଦେଖିବାକୁ ମିଳିଛି। ଅତିରିକ୍ତ ପୁଲିସ୍ ବଳ ପହଞ୍ଚି ଘଟଣାକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି।