ଏମିତି ପୋଲିସ ଅଫିସରଙ୍କୁ ଶହେ ସାଲ୍ୟୁଟ୍ ! ଯୁବତୀଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଲେ, ନଦୀକୁ ଡ଼େଇଁ ଜୀବନ ବଞ୍ଚାଇଲେ ।

496

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ଜଣେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର କରିଥିବା କାମ ଏବେ ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି । ନିଜ ଜୀବନକୁ ବାଜି ଲଗାଇ ନଦୀକୁ ଡ଼େଇଁବା ସହ ଜଣେ ଯୁବତୀଙ୍କ ଜୀବନ ବଞ୍ଚାଇବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି ରବିବାର ଘଟିଥିବା ବେଳେ ଯୁବତୀଜଣଙ୍କ ‌କ୍ରିଷ୍ଣା ନଦୀ ଉପରେ ଥିବା ପେନୁମୁଡି ବ୍ରିଜ୍ ଉପ‌ରୁ ତଳକୁ ଡେଇଁ ପଡ଼ିଥିଲେ । ଏହି ସମୟରେ ୫୮ବର୍ଷୀୟ ପୁଲିସକର୍ମୀ ତାଙ୍କୁ ଉଦ୍ଧାର କରିଥିଲେ । ଘଟଣା ପରେ ପୁଲିସକର୍ମୀଙ୍କ ନାଁ କେ.ମଣିକ୍ୟାଲା ରାଓ ବୋଲି ଜଣାଯାଇଛି ।

ସୂଚନା ମୁତାବକ, ଅବନିଗଡ୍ଡା ପୁଲିସ ଷ୍ଟେସନରେ ମୁତୟନ ଥିବା କେ.ମଣିକ୍ୟାଲା ରବିବାର ପେନୁମୁଡି ବ୍ରିଜ୍ ପାଖରେ ଡିୟୁଟି କରୁଥିଲେ । ଏହି ସମୟରେ ଯୁବତୀଜଣଙ୍କ ଆସି ବ୍ରିଜ୍ ତଳକୁ ଡ଼େଇଁ ଆତ୍ମହତ୍ୟା କରୁଥିବା ଦେଖି ଘଟଣାସ୍ଥଳରେ ପହଞ୍ଚିଥିଲେ ମଣିକ୍ୟାଲା । ଯୁବତୀଙ୍କୁ ବୁଡ଼ି ଯାଉଥିବା ଦେଖି ଏନଡିଆରଏଫ୍ ଟିମକୁ ଅପେକ୍ଷା ନ କରି ପୁଲିସକର୍ମୀଜଣଙ୍କ ବ୍ରିଜ୍ ତଳକୁ ଡ଼େଇଁଥିଲେ । ୫୦୦ମିଟର ପହଁରିବା ପରେ ସେ ଯୁବତୀଙ୍କ ପାଖରେ ପହଞ୍ଚିଥିଲେ । ଅନ୍ୟ ପକ୍ଷରେ ଘଟଣା ବିଷୟରେ ଜାଣି ମାଛଧରାଳିମାନେ ନିଜର ଡ଼ଙ୍ଗା ନେଇ ପୁଲିସକର୍ମୀଙ୍କ ପାଖରେ ପହଞ୍ଚିବା ସହ ଦୁହିଁଙ୍କୁ ଡ଼ଙ୍ଗାରେ କୂଳକୁ ଅଣିଥିଲେ । ଏହା ପରେ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଏବେ ଅବନିଗଡ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।