ମନ କିଣିନେଲେ ପୋଲିସ କନେଷ୍ଟବଳ । ୮୨ ବର୍ଷୀୟା ଅସହାୟ ବୃଦ୍ଧାଙ୍କୁ କୋଳରେ ଟେକିନେଇ ଟିକାଦାନ କେନ୍ଦ୍ରରେ ଟୀକା ଦେଲେ କନେଷ୍ଟବଳ କୁଲଦୀପ ।

147

କନକ ବ୍ୟୁରୋ : ହୃଦୟ କିଣିନେଲେ ପୋଲିସ କନଷ୍ଟେବଲ । ୮୨ ବର୍ଷ ବୃଦ୍ଧାଙ୍କୁ ଟିକାଦାନ କେନ୍ଦ୍ରକୁ କୋଳେଇନେଲେ । ପୋଲିସ ପୋଷାକ ତଳେ ଲୁଚିରହିଛି ମଣିଷପଣିଆ । ଖାକିବର୍ଦ୍ଦି ତଳେ ମାନବିକତାର ମନ୍ଦିର । ଅମାନିଆଙ୍କୁ ପୋଲିସ ଦଣ୍ଡ ଦିଏ, ନିୟମ ଭାଙ୍ଗିଲେ ଫାଇନ୍ କଟେ । ସାଧାରଣତଃ ସମସ୍ତେ ପୋଲିସକୁ ନିଷ୍ଠୁର ବୋଲି କହିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଦୃଶ୍ୟ ଦେଖାଇବୁ, ଯାହା ଦେଖିଲେ ଆପଣ ବି ଭାବୁକ ହୋଇଯିବେ । ପୋଲିସର ଖାକି ବର୍ଦ୍ଦି ତଳେ ଏତେ ବଡ ହୃଦୟଟେ ଯେ ଲୁଚି ରହିଥାଏ, ଯାହାକୁ କେହି ଦେଖିପାରନ୍ତି ନାହିଁ, କେହି ଅନୁଭବ କରିପାରନ୍ତି ନାହିଁ ।

ପୋଲିସ କେବଳ ଦଣ୍ଡ ଦିଏନାହିଁ । ଅସହାୟଙ୍କ ପାଇଁ ବିପଦ ବେଳର ବନ୍ଧୁ ସାଜି ସାହାରା ଦେଇଥାଏ । କରୋନା ମହାମାରୀ ସହ ଯୁଦ୍ଧରେ ପୋଲିସ କେବଳ ଆଗଧାଡିର ଯୋଦ୍ଧା ନୁହେଁ, ଆମମାନଙ୍କର ସୁରକ୍ଷାକବଚ ମଧ୍ୟ । ଆଉ ମାନବିକତାର ବଡ ପରିଚୟ ଦେଇ ମଣିଷପଣିଆର ମିସାଲ ସାଜିଛନ୍ତି ଦିଲ୍ଲୀର କାଶ୍ମୀରୀ ଗେଟ୍ ପୋଲିସ ଷ୍ଟେସନରେ ନିୟୋଜିତ ଥିବା କନେଷ୍ଟବଳ କୁଲଦୀପ ସିଂହ ।

କୁଲଦୀପଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି, ଜଣେ ବୃଦ୍ଧା ପିପିଇ କିଟ୍ ପିନ୍ଧିଛନ୍ତି । ଏବଂ କୁଲଦୀପ ତାଙ୍କୁ କୋଳରେ ଉଠାଇଛନ୍ତି । ଏହି ବୃଦ୍ଧା ମହିଳାଜଣଙ୍କ ହେଉଛନ୍ତି, ୮୨ ବର୍ଷୀୟା ଶୈଲା ଡିସୋଜା । ସେ ଜଣେ ଅବସରପ୍ରାପ୍ତ ଇଂରାଜୀ ଶିକ୍ଷୟିତ୍ରୀ । ତେବେ ସେ ଅବିବାହିତ ଅଟନ୍ତି । ଏବଂ ଦୀର୍ଘ ସମୟ ଧରି ଜଣେ କେୟାରଟେକର ତାଙ୍କର ଯତ୍ନ ନେଉଥିଲେ, ଯିଏକି ନିଜେ ଏବେ ବୃଦ୍ଧା ହୋଇଗଲେଣି ।

ତେବେ କୁଲଦୀପ ବିଟ୍ ଏରିଆରେ ରହୁଥିବାରୁ ଏହି ବୃଦ୍ଧାଙ୍କୁ ଚିହ୍ନିଥିଲେ । ତେବେ କରୋନା ସଂକ୍ରମଣ ବଢୁଥିବାରୁ ଭ୍ୟାକ୍ସିନ୍ ନେବାକୁ ଇଚ୍ଛାପ୍ରକାଶ କରିଥିଲେ ବୃଦ୍ଧାଜଣଙ୍କ । କିନ୍ତୁ ତାଙ୍କୁ ଟିକାଦାନ କେନ୍ଦ୍ରକୁ ନବା ପାଇଁ କେହିନଥିଲେ । କୁଲଦୀପ ଏସମମ୍ପର୍କରେ ଜାଣିବା ପରେ ପ୍ରଥମେ ବୃଦ୍ଧାଙ୍କର ରେଜିଷ୍ଟ୍ରେସନ୍ କରାଇଥିଲେ । ଏବଂ ଯେଉଁଦିନ ଟିକା ପାଇଁ ତାରିଖ ମିଳିଥିଲା, କୁଲଦୀପ ବୃଦ୍ଧାଙ୍କୁ ନିଜ କୋଳରେ ଉଠାଇ ଟିକାଦାନ କେନ୍ଦ୍ରକୁ ନେଇଥିଲେ । ସେଠାରେ ଟିକା ନେବା ପରେ ପୁଣି କୋଳରେ ଉଠାଇ ଘରେ ଆଣି ଛାଡିଥିଲେ ।