ସ୍ନେହ,ମମତା,ଭଲପାଇବା,ରାଗରୁଷା,ଅଭିମାନ,ଝଗଡା ଏସବୁ ଭାବାବେଗରେ ସଂପର୍କ ହେଉଛି ଭାଇ-ଭଉଣୀର ସଂପର୍କ । ଯେଉଁଠି ଆକଟ ଏବଂ ପ୍ରେମ ଉଭୟର ସମାନ ହକ୍ ଥାଏ । ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ଭଳି ନିବିଡ ସଂପର୍କରେ ବନ୍ଧା ହୋଇଥିବା ଏହି ବନ୍ଧନରେ ତିକ୍ତତା ଆସିଲେ ମଧ୍ୟ ଜଣଙ୍କର କିଛି ହୋଇଗଲେ ଅନ୍ୟଜଣେ ତା’ ପଛକୁ ଢାଲ ହୋଇ ଠିଆ ହୁଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଭାଇ-ଭଉଣୀଙ୍କ ସଂପର୍କ ବିଷୟରେ ଅବଗତ କରାଇବାକୁ ଯାଉଛୁ ଯାହାଙ୍କ ପାଇଁ ସଂପର୍କଠୁ ବଡ ଥିଲା କର୍ତ୍ତବ୍ୟ ।
ଜୁଲାଇ ୨୯ ତାରିଖରେ ଛତିଶଗଡର ସୁକମା ଜିଲ୍ଲାରେ ୧୪୦ ଜଣ ସୁରକ୍ଷାକର୍ମୀଙ୍କ ଏକ ଟିମ୍ ବାଲେଙ୍ଗଟଙ୍ଗ୍ ଜଙ୍ଗଲ ପାଖରେ ଥିବା ମାଓବାଦୀ କ୍ୟାମ୍ପକୁ ଘେରାଉ କରିଥିଲେ । ଭେତି ରାମା ନାମକ ଜଣେ ଗୁପ୍ତସୈନ୍ୟଙ୍କ ନେତୃତ୍ୱରେ ସୁକମା ପୋଲିସ୍ ସାରା ରାତି ଜଙ୍ଗଲରେ ମାଓବାଦୀଙ୍କ ଆଡ୍ଡାସ୍ଥଳୀକୁ ଖୋଜିଥିଲେ । ସୁରକ୍ଷାକର୍ମୀଙ୍କ ଟାର୍ଗେଟ୍ ରେ ଥିଲେ କୋଣ୍ଟା କମିଟିର ଟପ୍ ମାଓବାଦୀ ସଦସ୍ୟ ଭେତି କାନି ଏବଂ ତାଙ୍କ ୩୦ ଜଣ ମାଓସାଥି । କିନ୍ତୁ ଯେତେବେଳେ ପୋଲିସ୍ ଏବଂ ମାଓବାଦୀଙ୍କ ସାମ୍ନାସାମ୍ନି ହେଲା ସେତେବେଳେ କିଛି ସମୟ ପାଇଁ ଭେତି ରାମା ଏବଂ ଭେତି କାନି ସ୍ଥିର ହୋଇ ପରସ୍ପରକୁ ଚାହିଁଥିଲେ । କିନ୍ତୁ କେହି କିଛି ଭାବିବା ପୂର୍ବରୁ କାନିଙ୍କ ମାଓଟିମ୍ ରାମାଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଭାଗ୍ୟବଶତଃ ଏହି ଗୁଳିଚାଳନାରେ ରାମା ଏବଂ କାନି ଉଭୟ ବଚିଂଯାଇଥିଲେ କିନ୍ତୁ ୨ ଜଣ ମାଓବାଦୀ ଏଥିରେ ନିହତ ହୋଇଥିଲେ ।
ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ଏହି ଗୁଳିବିନିମୟ ପରେ ସଂପର୍କର ଖିଅରେ ଆସି ଅଟକି ଯାଇଥିଲା । ଭେତି ରାମା (୪୩) ଏବଂ ଭେତି କାନି (୫୦) ସଂପର୍କରେ ଦୁହେଁ ଭାଇ ଭଉଣୀ ଥିଲେ ଏବଂ ଛତିଶଗଡର ଏକ ଘଞ୍ଚ ଜଙ୍ଗଲରେ ଦୁହିଁଙ୍କ ସାମ୍ନାସାମ୍ନି ହୋଇଥିଲା,ଭାଇ-ଭଉଣୀ ସଂପର୍କରେ ନୁହଁ ପୋଲିସ୍ –ମାଓବାଦୀ ହିସାବରେ । ସେ ଦିନର କଥାକୁ ବଖାଣି ରାମା କୁହନ୍ତି , ମୁଁ କାନିଙ୍କ ଉପରକୁ ଗୁଳି ଚଳାଇବାକୁ ଚାହୁଁନଥିଲି କିନ୍ତୁ ଯେତେବେଳେ ତାଙ୍କୁ ନିଜ ପଟରୁ ଗୁଳି ଚଳାଇବା ଦେଖିଲି ମୁଁ ମଧ୍ୟ ନିଜ କର୍ତ୍ତବ୍ୟରୁ ପଛଘୁଞ୍ଚା ଦେଲିନାହିଁ । ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା କାନିଙ୍କ ମୁଣ୍ଡ ଉପରେ । ବାସ୍ତବ କଥା ହେଉଛି ଯୁବାବସ୍ତାରୁ ଉଭୟ ରାମା ଏବଂ କାନି ମାଓବାଦୀ ଆନ୍ଦୋଳନ ୧୯୯୦ ରେ ଯୋଗଦାନ କରିଥିଲେ । ବାଳ ସଂଗମ ନାମକ ଆନ୍ଦୋଳନରେ ରହି ଦୁହେଁ ମାଓବାଦୀଙ୍କ ପାଇଁ କାମ କରୁଥିଲେ ।
କିନ୍ତୁ ସମୟ ବଦଳିବା ସହ ମାଓବାଦୀଙ୍କ କାମରେ ମଧ୍ୟ କ୍ଷିପ୍ରତା ଏବଂ ଏକଚାଟିଆ ଶାସନ ଦେଖାଗଲା । ନିଜର ଆତ୍ମସମ୍ମାନକୁ ନିଚ୍ଚତାରେ ଦେଖି ରାମା ୨୦୧୮ ରେ ମାଓବାଦୀ କ୍ୟାମ୍ପକୁ ପରିତ୍ୟାଗ କରି ଆତ୍ମସମର୍ପଣ କରିଥିଲେ ଏବଂ କିଛି ଦିନ ଭିତରେ ହିଁ ତାଙ୍କୁ ପୋଲିସ୍ ରେ ଚାକିରୀ ଖଣ୍ଡିଏ ମିିଳିଗଲା । ତାଙ୍କ ମୁଣ୍ଡ ଉପରେ ଥିବା ୬.୫ ଲକ୍ଷ ପୁରସ୍କାର ରାଶି ମଧ୍ୟ ତାଙ୍କୁ ପ୍ରଦାନ କରାଗଲା । ମାଓ କ୍ୟାଡରରେ ଥିବା ସମୟରେ ସେ ନିଜ ପତ୍ନୀଙ୍କ ଠାରୁ ୭ ବର୍ଷ ଦୂରେଇ ରହିଥିଲେ କିନ୍ତୁ ଚାକିରୀ କରିବା ପରେ ଉଭୟ ସାଥି ହୋଇ ପୋଲିସ୍ କ୍ୱାଟରରେ ରହୁଥିଲେ । ରାମା ସିନା ପଙ୍କରୁ ବାହାରି ସମାଜର କମଳକୁ ଆପଣାଇ ନେଲେ କିନ୍ତୁ କାନି କାଦୁଅରୁ ବାହାରକୁ ବାହାରିଲେ ନାହିଁ । ଭାଇ ରାମା ବାରମ୍ବାର କାନିକୁ ଚିଠି ଲେଖି ସେଠାରୁ ବାହାରି ଆସିବାକୁ ନେହୁରା ହେଉଥିଲେ କିନ୍ତୁ କାନି ରାମାକୁ ବିଶ୍ୱାସଘାତକ କହିବା ସହ ନିଜକୁ ନ୍ୟାୟ ସପକ୍ଷରେ ସଂଗ୍ରାମ କରୁଥିବା ଆନ୍ଦୋଳନକାରୀ କହିଆସୁଥିଲେ ଏବଂ ପୁନର୍ବାର ଚିଠି ନ ଲେଖିବାକୁ ରାମାଙ୍କୁ କହିଥିଲେ । କାନିଙ୍କ କହିବାନୁସାରେ ରାମା ପୋଲିସ୍ ଚାକିରୀ କରିବା ପରେ ନିରୀହ ଲୋକଙ୍କ ଜୀବନ ନେବା ସହ ତାଙ୍କ ସହ ଜୁଲମ୍ କରୁଥିଲେ । ଏଭଳି କିଛି ହାତଲେଖା ଚିଠି ରାମାଙ୍କ ପାଖକୁ କାନି ପଠାଉଥିଲେ କିନ୍ତୁ ପୋଲିସ୍ ଏବଂ ରାମାଙ୍କ କହିବାନୁସାରେ ଏହା ମାଓବାଦୀଙ୍କ ଷଡଯନ୍ତ୍ରର ଗୋଟିଏ ଅଂଶ ଥିଲା । ମାଓବାଦୀ ନିଜେ ଚିଠି ଲେଖି ରାମାଙ୍କ ପାଖକୁ ପଠାଉଥିଲେ । ଗୋଟିଏ ପଟେ ନିଜ ଭଉଣୀକୁ ଗୁଳି ମାରି ରାମା କଷ୍ଟ ପାଉଥିଲେ ହେଁ ଅନ୍ୟପଟେ ସମାଜ ପାଇଁ ବିପଦ ସୃଷ୍ଟି କରୁଥିବା ମାଓବାଦୀକୁ ମାରି ସେ ଆତ୍ମତୃପ୍ତି ପାଇଛନ୍ତି । ଏଭଳି ପରିସ୍ଥିତି ଆଉ କାହାରି ଭାଗ୍ୟରେ ନଆସୁ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।
Follow Us
/kanak/media/post_attachments/wp-content/uploads/2019/08/02f6d65c-b984-11e9-98cb-e738ad509720-1-300x169.jpg)
/kanak/media/post_attachments/wp-content/uploads/2019/08/xss-219x300.jpg)
/kanak/media/post_attachments/wp-content/uploads/2019/08/274fe6a6-b984-11e9-98cb-e738ad509720-254x300.jpg)