୪୮ ଘଣ୍ଟା ପରେ ବଢିବ ଶୀତର ପ୍ରକୋପ । ରାତି ତାପମାତ୍ରା ୨ରୁ ୪ ଡିଗ୍ରି ତଳକୁ ଖସିବା ସମ୍ଭାବନା

218

କନକ ବ୍ୟୁରୋ : ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଏବେ ପାଗ ମେଘୁଆ ରହିଛି। ଫଳରେ ରାଜ୍ୟରେ ଶୀତ ପ୍ରଭାବ ଅନୁଭୂତ ହେଉନାହିଁ । ରାତି ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୩ ଡିଗ୍ରି ଅଧିକ ରହିଛି । କନ୍ଧମାଳ ଜିଲ୍ଲା ଫୁଲବାଣୀରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୮.୨ ଡିଗ୍ରି ସେଲ୍‌ସିୟସ୍‌ ଅଧିକ ରହିଛି । ଭବା‌ନୀପାଟଣାଠାରେ ୬.୯ ଡିଗ୍ରି ସେଲ୍‌ସିୟସ୍‌, ସମ୍ବଲପୁରଠାରେ ୫.୯ ଡିଗ୍ରି ଓ ଭୁବନେଶ୍ବରରେ ୪.୨ ଡିଗ୍ରି ସେଲ୍‌ସିୟସ୍‌ ଲେଖାଏ ସ୍ବାଭାବିକ ତାପମାତ୍ରାଠାରୁ ଅଧିକ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଉପରେ ଏବେ ‌ନିର୍ଦ୍ଦିଷ୍ଟ କୌଣସି ପାଣିପାଗର ନିୟାମକ ନାହିଁ। କିନ୍ତୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଛି । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ବେଳେ ଉତ୍ତର ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୨୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ପାଗ ରହିବା ପରେ ୨୪ ତାରିଖ ଆଡ଼କୁ ପାଗରେ ପରିବର୍ତ୍ତନ ହେବ ଓ ପାଗ ଖରାଟିଆ ଓ ଶୁଖିଲା ରହିବ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଏହି ଦୁଇ ଦିନରେ ରାଜ୍ୟର ରାତି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ଅଧିକ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।