ଖୁବଶୀଘ୍ର କମିବ ଖାଇବା ତେଲ ଦର । ଆକ୍ସନ ମୋଡରେ ସରକାର..

274

କନକ ବ୍ୟୁରୋ: ଗତ ବର୍ଷେ ହେଲା ପେଟ୍ରୋଲ-ଡିଜେଲ ସହିତ ଖାଇବା ତେଲର ଦାମ ଲଗାତାର ବଢିବାରେ ଲାଗିଛି । ଯାହାର ପ୍ରଭାବ ଲୋକଙ୍କ ପକେଟ ଉପରେ ପଡିଛି । ହେଲେ ଏବେ ଲୋକଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର । କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାର୍ବଜନିକ ବିତରଣ ମନ୍ତ୍ରାଳୟ ଖାଇବା ତେଲର ଦାମ କମାଇବା ପାଇଁ ଏବେ ଆକ୍ସନ ମୋଡରେ କାମ ଆରମ୍ଭ କରିଛି । ଆଜି ଖାଦ୍ୟ ସଚିବ ରାଜ୍ୟର ପ୍ରତିନିଧିମାନଙ୍କୁ ଏନେଇ ଭେଟିବା ସହିତ ତେଲ ଇଣ୍ଡଷ୍ଟ୍ରୀ ସହ ଜଡିତ ଲୋକଙ୍କ ସହିତ କଥାବାର୍ତ୍ତା କରିଛନ୍ତି ।

ଏହି ଅବସରରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଚଳିତବର୍ଷ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ଭଲ ବର୍ଷା କାରଣରୁ ସୋୟାବିନର ଭଲ ଉତ୍ପାଦନ ହେବା ନେଇ ଆଶା କରାଯାଉଛି । ଅନ୍ୟପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ମଧ୍ୟ ଖଜୁରୀ ଓ ସୋୟାବିନ୍ ତେଲର ଦାମ ମଧ୍ୟ କମିଛି । ଯାହା ଫଳରେ ଭାରତରେ ମଧ୍ୟ ଖୁବଶୀଘ୍ର ତେଲଦାମ କମିପାରେ ବୋଲି ଅନୁମାନ କରାଯାଉଛି ।

ସରକାରଙ୍କ କହିବା ମୁତାବକ, ଖାଇବା ତେଲର ଉପରେ ଆମଦାନୀ କର କମ କରିବା ପରେ ମଧ୍ୟ ଏହାର ଦାମ କମିବାର ନାଁ ନେଉନି । ଏହାର ଏକମାତ୍ର କାରଣ ହେଉଛି କଳାବଜାରୀ । ବ୍ୟବସାୟୀମାନେ ଜାଣିଶୁଣି ସେମାନଙ୍କର ଷ୍ଟକକୁ ସାଇତି ରଖୁଛନ୍ତି । ଯାହା ଫଳରେ ବଜାରରେ ଖାଇବା ତେଲର କୃତ୍ରିମ ଅଭାବ ପରିଲକ୍ଷିତ ହେଉଛି ଏବଂ ଦାମ ବଢୁଛି । ଏହାକୁ ରୋକିବାକୁ ସରକାର ଏବେ ଯଥାସମ୍ଭବ ଚେଷ୍ଟା କରିବେ ବୋଲି କୁହାଯାଇଛି । ଅନ୍ୟପଟେ ଖାଇବା ତେଲ କେତେ ପରିମାଣରେ ମହଜୁଦ ଅଛି, ତାହା ସାର୍ବଜନୀନ କରିବାକୁ ସରକାର ଏକ ପୋର୍ଟାଲ ଆଣିବାକୁ ଯୋଜନା କରୁଛନ୍ତି । ଏହାଦ୍ୱାରା ବ୍ୟବସାୟୀମାନେ ନିଜର ମହଜୁଦ ତେଲ ବିଷୟରେ ବିବରଣୀ ଦେବେ । ଏବଂ ରାଜ୍ୟ ସରକାର ଏହାର ମନିଟରିଂ କରିବ ।