ଗୁରୁବାର ରାତିରୁ ପୁଣି ବଢିଲା ରୋଷେଇ ଗ୍ୟାସ ଦର : ୨୫ ଟଙ୍କା ମହଙ୍ଗା ହେଲା ଏଲପିଜି

221

କନକ ବ୍ୟୁରୋ : କେବଳ ପେଟ୍ରୋଲ୍‌ ଓ ଡିଜେଲ୍ ନୁହେଁ, ଏଲ୍‌ପିଜି ଦାମ୍‌ ମଧ୍ୟ ହୁ ହୁ ହୋଇ ବଢ଼ି ଚାଲିଛି । ୧୪.୨ କେଜି ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ଆଉ ୨୫ ଟଙ୍କା ବଢ଼ିଛି । ଚଳିତ ମାସ ତିନି ଥରରେ ସିଲିଣ୍ଡର ମୂଲ୍ୟ ୧୦୦ ଟଙ୍କା ମହଙ୍ଗା ହୋଇସାରିଲାଣି । ଇଣ୍ଡିଆନ ଅଏଲ୍‌ ୱେବସାଇଟ୍‌ ସୂଚନା ଅନୁଯାୟୀ ଆଜିର ଦରବୃଦ୍ଧି ପରେ ଖୋର୍ଦ୍ଧାରେ ଏଲ୍‌ପିଜି ସିଲିଣ୍ଡର ଦାମ୍ ୮୨୦ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି । ଚଳିତ ମାସ ୪ରେ ଏଲ୍‌ପିଜି ଦାମ୍ ୨୫ ଟଙ୍କା ବଢ଼ିବା ପରେ ୧୫ ତାରିଖରେ ଆଉ ୫୦ ଟଙ୍କା ବଢ଼ିଥିଲା। ଆଜି ସେଥିରେ ଆଉ ୨୫ ଟଙ୍କାର ବୃଦ୍ଧି ଘଟିଛି ।

ସୂଚନାଯୋଗ୍ୟ ଯେ ସରକାର ପ୍ରତି ପରିବାରକୁ ବର୍ଷକୁ ୧୨ଟି ସିଲିଣ୍ଡର ସବ୍‌ସିଡି ଦରରେ ପ୍ରଦାନ କରୁଛନ୍ତି । ସାଧାରଣ ଗ୍ରାହକଙ୍କ ଠାରୁ ଆରମ୍ଭ କରି ଉଜ୍ଜ୍ବଳା ହିତାଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବଜାର ଦର ୮୨୦ ଟଙ୍କା ୨୫ ପଇସାରେ ସିଲିଣ୍ଡର କିଣିବାକୁ ପଡ଼ୁଛି। ଏହା ପରେ ଲିଙ୍କ୍‌ ହୋଇଥିବା ବ୍ୟାଙ୍କ ଖାତାରେ ସବ୍‌ସିଡି ବାବଦ ଟଙ୍କା ପହଞ୍ଚୁଛି । ସବ୍‌ସିଡି ରାଶି ୧୦-୧୫ ଟଙ୍କା ସ୍ତରରେ ରହିଥିବାରୁ ତାହା ଏତେଟା ଗୁରୁତ୍ବ ରଖୁନାହିଁ । ତେବେ ସରକାର ସବ୍‌ସିଡି ଦେବା ବନ୍ଦ କରିନାହାନ୍ତି ବୋଲି କିଛି ଦିନ ତଳେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟ କରିଥିଲେ ।