୪ ଦିନ ମଧ୍ୟରେ ଦ୍ୱିତୀୟ ଥର ବଢିଲା ରୋଷେଇ ଗ୍ୟାସ ଦର ।  ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ପରେ ଜାଣନ୍ତୁ କ’ଣ ରହିଛି ଆପଣଙ୍କ ସହରରେ ଦାମ୍

394

କନକ ବ୍ୟୁରୋ :  ରୋଷେଇ ଗ୍ୟାସର ଦର ୪ ଦିନ ମଧ୍ୟରେ ଦ୍ୱିତୀୟଥର ବୃଦ୍ଧି ପାଇଛି । ସବୁ ଶ୍ରେଣୀର ରୋଷେଇ ଗ୍ୟାସ୍ ର ଦର ମାର୍ଚ୍ଚ ପହିଲା ଠାରୁ ପୁଣି ୨୫ ଟଙ୍କା ଲେଖାଏଁ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ଏଲପିଜିର ଦର ବୃଦ୍ଧି ପାଉଥିବା ଦର୍ଶାଇ ଦେଶରେ ରୋଷେଇ ଗ୍ୟାସର ଦର ବୃଦ୍ଧି କରାଯାଇଥିବା କୁହାଯାଇଛି । ମାର୍ଚ୍ଚ ମାସ ଆରମ୍ଭରୁ ସାଧାରଣ ଲୋକଙ୍କ ଉପରେ ପୁଣି ଏକ ମହଙ୍ଗାମାଡ ପଡିଛି । ଏହା ପୂର୍ବରୁ ଫେବୃଆରୀ ୨୫ ତାରିଖରେ ରୋଷେଇ ଗ୍ୟାସର ଦର ୨୫ ଟଙ୍କା ବି ବୃଦ୍ଧି ପାଇଥିଲା ।

ତୈଳ କମ୍ପାନୀ ମାନଙ୍କର ସୂଚନା ମୁତାବକ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ରୋଷେଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୧୯ ଟଙ୍କା ରହିଛି । ଗତକାଲି ଯାଏ ଏହି ଦାମ ୭୯୪ ଟଙ୍କା ଥିଲା । ସାରା ଦେଶରେ ରୋଷେଇ ଗ୍ୟାସର ଗୋଟିଏ ଦାମ ଥିବା ବେଳେ କିଛି ବଛାବଛା ଗ୍ରାହକଙ୍କୁ କମ୍ପାନୀ ସବସିଡି ଦେଉଛି । ଏହା ପୂର୍ବରୁ ୨୫ ଫେବୃଆରୀରେ ୨୫ ଟଙ୍କା, ୧୫ ଫେବୃଆରୀରେ ୫୦ ଟଙ୍କା ଓ ୪ ଫେବୃଆରୀରେ ରୋଷେଇ ଗ୍ୟାସର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଥିଲା ।

ଦେଶ କରୋନା ମହାମାରୀ ସହ ଲଢେଇ କରୁଥିବା ବେଳେ ଏବେ ଦେଶରେ ଅନେକ ଅତ୍ୟାବଶକୀୟ ସାମଗ୍ରୀର ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଖାଇବା ତେଲ, ପେଟ୍ରୋଲ, ଡିଜେଲ, ଡାଲି ଓ ଗ୍ୟାସର ଦରକୁ ନେଇ ଚିନ୍ତାରେ ପଡିଲେଣି ଖାଉଟି ।