ବିଦାୟୀ ମ୍ୟାଚରେ ଶତକ ଜମାଇଲେ କୁକ୍ ! ଅନ୍ତିମ ଟେଷ୍ଟରେ ଦୃଢ ସ୍ଥିତିରେ ଇଂଲଣ୍ଡ ।

28

ସାଉଥମ୍ପଟନ୍ ଟେଷ୍ଟକୁ ଘରୋଇ ଇଂଲଣ୍ଡ ଧିରେ ଧିରେ ନିଜ କବଜାକୁ ନେବା ଆରମ୍ଭ କରିଛି । ଭାରତ ପ୍ରଥମ ପାଳିରେ ୨୯୨ ରନ୍ କରି ୪୦ ରନରେ ପଛୁଆ ରହିବା ପରେ ଇଂଲଣ୍ଡ ଦ୍ୱିତୀୟ ପାଳିରେ (ଶେଷ ଖବର ମିଳିବା ପର୍ଯ୍ୟନ୍ତ) ୨ ଓ୍ଵିକେଟ୍ ବିନିମୟରେ ୨୩୨ ରନ ସଂଗ୍ରହ କରିଛି ଓ ମୋଟ ୨୭୨ ରନରେ ଆଗୁଆ ରହିଛି ।

ନିଜର ଶେଷ ଟେଷ୍ଟ ଖେଳୁଥିବା ଇଂଲଣ୍ଡର ମହାନ ତାରକା ଓପନର ଆଲେଷ୍ଟର କୁକ ଏକ ଚିତ୍ତାକର୍ଷକ ଶତକ ହାସଲ କରିଛନ୍ତି । ଏହି ଶତକ ସହ ସ୍ମରଣୀୟ ଭାବେ ସେ ନିଜର କ୍ରିକେଟ ଜୀବନକୁ ସମାପ୍ତ କରିଛନ୍ତି । କୁକଙ୍କ ସହିତ ଜୋ ରୁଟ ମଧ୍ୟ ନିଜର ଶତକର ନିକଟତର ହୋଇଛନ୍ତି । ଗତକାଲି ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କିଟନ ଜେନିଙ୍ଗସ(୧୦) ଙ୍କୁ ମହମ୍ମଦ ସାମି ଓ ମୋଇନ ଅଲ୍ଲୀ (୨୦)ଙ୍କୁ ରବୀନ୍ଦ୍ର ଜାଦେଜା ବୋଲ୍ଡ କରି ଭାରତକୁ ଦୁଇଟି ପ୍ରାରମ୍ଭିକ ସଫଳତା ଦେଇଥିଲେ । କିନ୍ତୁ କୁକଙ୍କ ଶତକ ଭାରତର ଆଶାକୁ ନିରାଶାରେ ପରିଣତ କରିଛି ।

ପ୍ରଥମ ପାଳିରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଜାଦେଜା (୮୬ଞ୍ଚ) ଏବଂ ହନୁମା ବିହାରୀ (୫୬) ହିଁ ଭାରତର ସମ୍ମାନ ରଖିଥିଲେ। ଶୃଙ୍ଖଳାରେ ପ୍ରଥମ ଥର ପାଇଁ ସୁଯୋଗ ପାଇଥିବା ଜାଦେଜା ଓ ପଦାର୍ପଣକାରୀ ହନୁମାଙ୍କ ଲଢ଼ୁଆ ଅର୍ଧଶତକ ବଳରେ ଭାରତ ପ୍ରଥମ ପାଳିରେ ୨୯୨ ରନ୍ କରି ସମ୍ମାନ ରଖିଥିଲା। ତଥାପି ଇଂଲଣ୍ଡର ୩୩୨ ରନ୍ ଠାରୁ ୪୦ ରନ୍ ପଛରେ ଅଟକି ଯାଇଥିଲା।