ଉଦଘାଟନ ହେଲା ଲୋକସେବା ଭବନର ବିଶ୍ୱସ୍ତରୀୟ ସମ୍ମିଳନୀ କକ୍ଷ । ଦେଖିବାକୁ ମିଳିବ ଓଡିଶାର କଳା, ଐତିହ୍ୟ ଓ କାରୁକାର୍ଯ୍ୟର ଝଲକ

ଉଦଘାଟନ ହେଲା ଲୋକସେବା ଭବନର ବିଶ୍ୱସ୍ତରୀୟ ସମ୍ମିଳନୀ କକ୍ଷ । ଦେଖିବାକୁ ମିଳିବ ଓଡିଶାର କଳା, ଐତିହ୍ୟ ଓ କାରୁକାର୍ଯ୍ୟର ଝଲକ

କନକ ବ୍ୟୁରୋ: ଆଜି ଉଦଘାଟନ ହେଲା ଲୋକସଭା ଭବନର ସମ୍ମିଳନୀ କକ୍ଷ । ଏହି ବିଶ୍ୱସ୍ତରୀୟ ସମ୍ମିଳନୀ କକ୍ଷକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର କଳା, ଐତିହ୍ୟ ଓ କାରୁକାର୍ଯ୍ୟର ଝଲକ ଏଠାରେ ଦେଖିବାକୁ ମିଳିଛି । ଏହି ସମ୍ମିଳନୀ କକ୍ଷ ଇକୋ ଫ୍ରେଣ୍ଡଲି, ସୌରଶକ୍ତି ଦ୍ୱାରା ପରିଚାଳିତ ହୋଇଛି । ଭିଡ଼ିଓ ଦେଖିବାକୁ କାନ୍ଥରେ ଏଲଇଡ଼ି ସୁବିଧା ରଖାଯାଇଥିଲା । ତେବେ ଅତ୍ୟାଧୁନିକ ଲାଇବ୍ରେରି ଏବଂ ଏଠାରେ ଥିବା ଫୁଡ଼ ପ୍ଲାଜାରେ ଥରକରେ ୧୦୦ ଜଣ ବସିବା ଭଳି ସୁବିଧା ରହିଛି । ୪୦ କୋଟି ଟଙ୍କା ବ୍ୟୟରେ ଦୀର୍ଘ ଅଢ଼େଇ ବର୍ଷ ହେଲା ଏହାର ନିର୍ମାଣ କାର୍ଯ୍ୟ ଚାଲିଥିଲା । ଏବେ ଏହି କନଭେନସନ୍ ସେଂଟରର ଉଦଘାଟନୀ ଉତ୍ସବ ଶେଷ ହୋଇଛି । ଲୋକସଭା ସମ୍ମିଳନୀ କକ୍ଷର ଅଭାବ ରହୁଥିବାରୁ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ରାଜଧାନୀରେ ସରକାରୀ ଅଡ଼ିଟୋରିୟମ ଅଭାବ ପଡ଼ୁଥିବାରୁ ଏହାକୁ ନଜରରେ ରଖି ଏହି କନଭେନସନ ହଲର ନିର୍ମାଣ କରାଯାଇଛି ।

publive-image

ସୂଚନା ଅନୁଯାୟୀ, ଏହି ଅତ୍ୟାଧୁନିକ କନଭେନସନ୍ ସେଣ୍ଟରରେ ଓଡ଼ିଶାର କଳା, ଐତିହ୍ୟ ଓ କାରୁକାର୍ଯ୍ୟ ଦେଖିବାକୁ ମିଳିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଏହାକୁ ନିର୍ମାଣ କରାଯାଇଛି। କନଭେନସନ୍ ସେଣ୍ଟରଟି ଇକୋ ଫ୍ରେଣ୍ଡଲି ହେବା ସହ ସୌର ଶକ୍ତିରେ ଚାଲିବା ବ୍ୟବସ୍ଥା, ଜଳ ସଂରକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ସବୁ ଦୃଷ୍ଟିରୁ ଯେପରି କନଭେନସନ୍ ସେଣ୍ଟର ଆକର୍ଷଣୀୟ ହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି। ପଞ୍ଚାୟତିରାଜ ବିଭାଗ ପଛ ପାର୍ଶ୍ୱରେ ୫୧୮୦ ବର୍ଗମିଟର ଅଞ୍ଚଳରେ ଏହି ଅତ୍ୟାଧୁନିକ କନଭେନସନ୍ ସେଣ୍ଟର ନିର୍ମାଣ ହୋଇଛି। ଏହା ଦୁଇ ମହଲା ବିଶିଷ୍ଟ ହୋଇଥିବା ବେଳେ ତଳ ମହଲାରେ ପ୍ରବେଶ ଲବି ସହ ୩୯୦ ସିଟ୍ ବିଶିଷ୍ଟ ସମ୍ମିଳନୀ କକ୍ଷ ରହିଛି। ଏଥିରେ ଗୋଟିଏ କାନ୍ଥରେ ଭିଡିଓ ଦେଖିବା ପାଇଁ ଏଲ୍ଇଡି ଲାଗିଛି। ଏଥିରେ ଲାଇନ୍ ଆରେ ସ୍ପିକର୍ ବ୍ୟବସ୍ଥା ହୋଇଛି। ଏହି ସମ୍ମିଳନୀ କକ୍ଷଟିକୁ ବିଶ୍ବସ୍ତରୀୟ କରାଯାଇଛି।

publive-image

ଏହା କାର୍ଯ୍ୟକ୍ଷମ ହେଲେ ସରକାର ତାଙ୍କର ସମସ୍ତ ସରକାରୀ କାର୍ଯ୍ୟକ୍ରମ ଏଠାରେ କରିବେ। ଆଉ ତାରକା ହୋଟେଲ ଭଡ଼ା ନେବାକୁ ପଡ଼ିବନି। ଏହାବାଦ୍ ତଳ ମହଲାରେ ଗୋଟିଏ ୮୦ରୁ ୯୦ ସିଟ୍ ବିଶିଷ୍ଟ ବକ୍ବେଟ୍ ହଲ୍ ରହିଛି। ଗୋଟିଏ ୬୦ଜଣ ବସିବା ଭଳି ଲବି ଏବଂ ସ୍ବତନ୍ତ୍ର ଭିଆଇପି ଲାଉଞ୍ଜ୍ ରହିଛି। ଏଠାରେ ଗୋଟିଏ ଭିଆଇପି ରୁମ୍, ଦୁଇଟି ଗ୍ରିନ୍ ରୁମ୍, ଗୋଟିଏ ଲେଖାଏ ରେକର୍ଡ ରୁମ୍, କଣ୍ଟ୍ରୋଲ ରୁମ୍, ମେଡିକାଲ ରୁମ୍ ଏବଂ କାର୍ଯ୍ୟାଳୟ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି। ଏଠାରେ ବିଭିନ୍ନ ବୈଠକ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ଭଳି ବ୍ୟବସ୍ଥା କରାଯାଉଛି। ସେହିପରି ଉପର ମହଲାରେ ୧୦୩ସିଟ୍ ବିଶିଷ୍ଟ କନଫରେନ୍ସ ହଲ୍ ରହିବ। ଏହାବାଦ୍ ଦୁଇଟି ଛୋଟ ସମ୍ମିଳନୀ କକ୍ଷ ରହିବ। ଏଥିରୁ ଗୋଟିଏ ୩୦ସିଟ୍ ବିଶିଷ୍ଟ ଏବଂ ଆଉ ଗୋଟିଏ ୧୫ସିଟ୍ ବିଶିଷ୍ଟ ରହିବ। ଅତ୍ୟାଧୁନିକ ଲାଇବ୍ରେରି, ଦୁଇଟି ରୁମ୍, ୧୦୦ଜଣ ବସିବା ଭଳି ଫୁଡ୍ ପ୍ଲାଜା, କାର୍ୟ୍ୟାଳୟ ରହିବ। ଏହି ମହଲାଟିକୁ ଓଭାଲ୍ ଆକାରରେ ନିର୍ମାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe