ଆସିଲା ଭାରତୀୟ ପାଣିପାଗ ବିଭାଗର ତାଜା ବୁଲେଟିନ୍ : ୨୬ ତାରିଖ ସକାଳୁ ଅଧିକ ଶକ୍ତିଶାଳୀ ହୋଇ ଉତ୍ତର-ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ପହଂଚିବ ବାତ୍ୟା

1,182

କନକ ବ୍ୟୁରୋ : ଉତ୍ତର ଆଣ୍ଡମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଦେଖା ଦେଇଥିବା ଲଘୁଚାପ କ୍ଷେତ୍ର ଧିରେଧିରେ ବଳ ଗୋଟାଉଛି । ଇନସାଟ ୩-ଡି ସାଟେଲାଇଟ ଇନଫ୍ରାରେଡ୍ ଚିତ୍ରରୁ ଜଣାପଡୁଛି ବଙ୍ଗୋପସାଗର ଉପରେ ଏକାଠି ହେଉଛି ମେଘଖଣ୍ଡ । ଏହା ଲଘୁଚାପ ସୃଷ୍ଟିରେ ବିଶେଷ ସହାୟକ ହେବ । ବର୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମା ବାୟୁ ସକ୍ରିୟ ଥିବାରୁ ଏହା ମଧ୍ୟ ଲଘୁଚାପ ସୃଷ୍ଟିରେ ସହାୟକ ହେଉଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ । ତେବେ ୨୪ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବ ବୋଲି ମଡେଲ ଗୁଡିକ ସଂକେତ ଦେଉଛି ।

ଭାରତୀୟ ପାଣିପାଗ ବିଭାଗର ତାଜା ବୁଲେଟିନ୍ । ଏଥିରେ ମଧ୍ୟ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆରବ ସାଗରରେ ୨୨ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରାଯାଇଛି । ୨୪ ତାରିଖ ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି କୁହାଯାଇଛି । ବାତ୍ୟାରେ ପରିଣତ ହେବାପରେ ଉତ୍ତର-ପଶ୍ଚିମ ଦିଗରେ ଗତିକରି ୨୬ ତାରିଖ ସକାଳେ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ପହଂଚିବ ବୋଲି ଆକଳନ କରିଛି ଆଇଏମଡି ।

ଏପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି, ୨୬ ତାରିଖରେ ଉତ୍ତର ଓଡିଶା ଓ ବାଂଲାଦେଶ ମଧ୍ୟରେ ଯେକୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ ହୋଇଛି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ଅନୁଧ୍ୟାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାଇକ ଯୋଗେ ଲୋକଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ସଚେତନ କରାଯାଉଛି । ମତ୍ସ୍ୟଜୀବୀଙ୍କୁ ବି ଏ ବାବଦରେ ସତର୍କ କରାଯାଉଛି । ବିଭିନ୍ନ ବିଭାଗ ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ।

ଆବଶ୍ୟକତା ଅନୁସାରେ ଓଡ୍ରାଫ, ଏନଡିଆରଏଫକୁ ମୁତୟନ କରିବାକୁ ବ୍ୟବସ୍ଥା କରାଯାଉଛି । ଏପଟେ ବାତ୍ୟାକୁ ନେଇ କୌଣସି ପ୍ରକାର ଗୁଜବରେ ବିଶ୍ୱାସ ନକରିବାକୁ ଟ୍ୱିଟ କରି ସତର୍କ କରାଇ ଦେଇଛି ସୂଚନା ଓ ଲୋକସଂପର୍କ ବିଭାଗ । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ସଜାଗ ଅଛନ୍ତି । ଭାରତୀୟ ପାଣିପାଗ ବିଭାଗ ଏନେଇ ସମୟୋଚିତ ସୂଚନା ଦେଉଛି । ତେଣ ଭୟଭିତ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ନକରିବାକୁ ପରାମର୍ଶ ଦିଆଯାଇଛି ।