ଜୋତାରେ ସଜାହେଲା ପୂଜା ପେଣ୍ଡାଲ । ଆୟୋଜକଙ୍କ ଉପରେ ଗର୍ଜିଲେ ବିଜେପି, ବିଏଚପି

1,481

କନକ ବ୍ୟୁରୋ: କୋଲକାତା ଦମଦମ ପାର୍କ ନିକଟ ଏକ ପୂଜା ପେଣ୍ଡାଲକୁ ନେଇ ଚର୍ଚ୍ଚା । ଏହାକୁ ନେଇ ବିଜେପି ଓ ବିଶ୍ୱ ହିନ୍ଦୁ ପରିଷଦ କଡା ନିନ୍ଦା କରିବା ପରେ ସଫେଇ ଦେଇଛନ୍ତି ଆୟୋଜକ । ପେଣ୍ଡାଲକୁ ଖେରୀ ଚାଷୀ ମୃତ୍ୟୁ ପ୍ରସଙ୍ଗ ଉପରେ ସଜା ଯାଇଛି । ଜୋତାରେ ମା’ଙ୍କ ପେଣ୍ଡାଲର ବାହାର ପଟକୁ ସଜ୍ଜିତ କରାଯାଇଛି ବୋଲି ଆୟୋଜକ ସଫେଇ ଦେଇଛନ୍ତି ।

ଏହି ପୂଜା ପେଣ୍ଡାଲକୁ ଦମଦମ ପାର୍କ ଭାରତ ଚକ୍ର ପୂଜା କମିଟି ପ୍ରସ୍ତୁତ କରିଥିବାବେଳେ ଏହାକୁ ଅନିର୍ବାଣ ଦାସ ନାମକ ଆର୍ଟିଷ୍ଟ ଏହି ପେଣ୍ଡାଲକୁ ସଜାଇଛନ୍ତି । ପୂଜା ପେଣ୍ଡାଲର ବାହାର ପଟକୁ ଜୋତାରେ ସଜାଯାଇଛି । ତେବେ ଲକ୍ଷ୍ମୀପୁର ଖେରୀରେ ହୋଇଥିବା ଚାଷୀ ମୃତ୍ୟୁ ଓ ହିଂସାକୁ ଏଥିରେ ଦର୍ଶାଇବାକୁ ଚେଷ୍ଟା କରାଯାଇଛି । ପେଣ୍ଡାଲ ନିକଟରେ ଏକ ଟ୍ରାକ୍ଟର ରଖାଯାଇ ସେଥିରେ ଏହି ହିଂସାରେ ପ୍ରାଣ ହରାଇଥିବା ଚାଷୀଙ୍କ ନାମ ଉଲ୍ଲେଖ ଥିବା ଏକ ହୋର୍ଡିଂ ଲଗାଯାଇଛି । ଏହାସହ ହୋର୍ଡିଂରେ ଚାଷୀଙ୍କ ବିକଳ ମନକଥାକୁ ଇଂରାଜୀ ଭାଷାରେ ବ୍ୟକ୍ତ କରାଯାଇଛି । ‘ ଆମେ ଚାଷୀ , ଆତଙ୍କବାଦୀ ନୁହେଁ । ଆମେ ଦେଶକୁ ଖାଦ୍ୟ ସୁରକ୍ଷା ଦେଉଥିବା ଅନ୍ନ ସୈନିକ’ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ପୂଜା କମିଟି ଉପଦେଷ୍ଟା ମଧ୍ୟ ଏହି ପେଣ୍ଡାଲର ପ୍ରାସଙ୍ଗିକତାକୁ ନ୍ୟାୟ ଦେବାକୁ ଚେଷ୍ଟା କରିଛନ୍ତି । ତାଙ୍କ କହିବା ମୁତାବକ, ୧୯୪୬-୪୭ର ତେଭାଗା ଆନ୍ଦୋଳନ ଠାରୁ ଆରମ୍ଭ କରି ହାଲିଆ ଚାଷୀ ଆନ୍ଦୋଳନ ପର୍ଯ୍ୟନ୍ତ ସବୁ ଚାଷୀଙ୍କ କଥା ଏହି ପେଣ୍ଡାଲରେ ପ୍ରସ୍ତୁତ କରାଯାଏ । ଲକ୍ଷ୍ମୀପୁର ଖେରୀରେ ହିଂସା ହେବା ବେଳକୁ ପୂଜା ପେଣ୍ଡାଲ ସଜା ସରିଥିଲା । କେବଳ ବାହାର ପାଖ ବାକି ଥିଲା । ତେଣୁ ଏହି ଅଂଶକୁ ଚାଷୀଙ୍କ ମୃତ୍ୟୁ ବିଷୟ ବସ୍ତୁକୁ ନେଇ ସଜ୍ଜିତ କରିବାକୁ ଜୋତାରେ ଏପରି ସଜାଯାଇଥିବା ଉପଦେଷ୍ଟା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଏପରି ସଜାଇବାକୁ କଡା ନିନ୍ଦା କରିଛନ୍ତି ବିଜେପି ଓ ବିଏଚପି । ଏପରି ସାଜସଜ୍ଜାକୁ ହିନ୍ଦୁଙ୍କ ଧାର୍ମିକ ଭାବନାର ଅପମାନ ବୋଲି କହିଛି ବିଜେପି । ପଶ୍ଚିମବଙ୍ଗର ବିରୋଧୀ ନେତା ଓ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଏନେଇ ଗୃହ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । କଳାତ୍ମକ ସ୍ୱାଧିନତା ନାଁରେ ମା’ ଦୁର୍ଗାଙ୍କୁ ଅପମାନିତ କରିବା ଭଳି ଜଘନ୍ୟ କାଣ୍ଡକୁ ବରଦାସ୍ତ କରାଯିବ ନାହିଁ । ତେଣୁ ଗୃହ ସଚିବ ତୁରନ୍ତ ଏଥିରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟ୍ୱିଟ କରିଛନ୍ତି ।ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ଏପରି ଜୋତା ସଜାରେ ଆପତ୍ତି ବାଢିଛି । ଯେପର୍ଯ୍ୟନ୍ତ ପେଣ୍ଡାଲରୁ ଜୋତା ହଟାନଯାଇଛି ସେପର୍ଯ୍ୟନ୍ତ ବଙ୍ଗଳି ହିନ୍ଦୁଙ୍କ ଧାର୍ମିକ ଭାବନା ଶାନ୍ତ ହେବ ନାହିଁ । ତେଣୁ ସାମ୍ପ୍ରଦାୟିକ ସଦଭାବନାକୁ ନଷ୍ଟ କରୁଥିବା ତଥା ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଅପମାନିତ କରୁଥିବା ଏହି ଉପଦ୍ରବକାରୀଙ୍କ ବିରୋଧରେ ଯଥାଶିଘ୍ର ପଦକ୍ଷେପ ନେବାକୁ କହିଛି ବିଏଚପି ।