ମନମୋହନ ସିଂଙ୍କ ପୁରୁଣା ବୟାନ ଓ ମୋଦିଙ୍କ ମଙ୍ଗଳ ସୂତ୍ର କଥାକୁ ନେଇ ତେଜୁଛି ବିବାଦ । ଜବାବ ଦେଲେ ରାହୁଲ ଗାନ୍ଧୀ ।

140

କନକ ବ୍ୟୁରୋ: ୨୦୦୬ ମସିହାରେ ତତକାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଦେଇଥିବା ବୟାନକୁ ନେଇ ୧୮ ବର୍ଷ ପରେ ବିବାଦ ଆରମ୍ଭ ହୋଇଛି । ଦେଶର ବିକାଶର ଲାଭ ସମାନ ଭାବେ ଅଳ୍ପ ସଂଖ୍ୟକ ବିଶେଷକରି ମୁସଲିମଙ୍କ ନିକଟରେ ପହଂଚାଇବା ପାଇଁ ଆମେ ସ୍ୱତନ୍ତ୍ର ଯୋଜନା କରୁଛୁ ବୋଲି କହିଥିଲେ ମନମୋହନ ସିଂ । ଆଉ ମନମୋହନ ସିଂଙ୍କ ଏହି ବୟାନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ଆସିଛି । ରବିବାର ରାଜସ୍ଥାନର ନିର୍ବାଚନୀରେ ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ମନମୋହନ ସିଂଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର କହୁଥିଲା ଦେଶର ସମ୍ପତିର ମୁସଲିମମାନଙ୍କ ପ୍ରଥମ ଅଧିକାର ରହିଛି । ଯାହାକୁ ନେଇ ରାଜନୈତିକ ବୟାନବାଜି ଜୋର ଧରିଛି ।

  • ମୋଦୀଙ୍କ ବୟାନକୁ ନେଇ ତେଜୁଛି ବିବାଦ
  • ବିଜେପିକୁ କଂଗ୍ରେସର ପ୍ରଶ୍ନ

ମୋଦୀ କହିଛନ୍ତି, କଂଗ୍ରେସ ଯାହା ନିର୍ବାଚନୀ ଇସ୍ତାହାରରେ କହିଛି ତାହା ସାଂଘାତିକ, ଯଦି କଂଗ୍ରେସ ସରକାର ଗଢିବ ସମସ୍ତଙ୍କ ସମ୍ପତିର ସର୍ବେକ୍ଷଣ କରିବ ଏବଂ ସେମାନେ ମା, ଓ ଭଉଣୀଙ୍କ ସୁନା ଅଳଙ୍କାରର ହିସାବ କରି ତାକୁ ସମସ୍ତଙ୍କ ମଧ୍ୟରେ ବାଂଟିଦେବେ । ଏପରିକି ସେମାନେ ତୁମର ମଙ୍ଗଳସୁତ୍ରକୁ ବି ଛାଡିବେନି । ଏଥିସହ କଂଗ୍ରେସ ଏବେ ସହରୀ ନକ୍ସଲଙ୍କ ହାଠମୁଠାରେ ଥିବା କହିଛନ୍ତି ମୋଦୀ । ଯାହାର ଜବାବରେ ରାହୁଲ ଗାନ୍ଧୀ କହିଛନ୍ତି, ବେକାରୀ, ମୁଦ୍ରାସ୍ଫିତି ଭଳି ମୁଖ୍ୟ ସମସ୍ୟାରୁ ଧ୍ୟାନ ହଟାଇବା ପାଇଁ ବିଜେପି ଏଭଳି ଚେଷ୍ଟା ଚଳାଇଛି ।

ପ୍ରଧାନମନ୍ତ୍ରୀଙ୍କ ବୟାନକୁ ନେଇ ବିବାଦ ବଢୁଛି । କଂଗ୍ରେସ ପାଲଟା ଜବାବ ମଧ୍ୟ ଦେଇଛି । ଅନ୍ୟପଟେ ଦୁଇ ଭାଗ ହୋଇଯାଇଛି ସୋସିଆଲ ମିଡିଆ । ଗୋଟିଏ ପକ୍ଷ ମନମୋହନ ସିୁଂ ତାଙ୍କ ବୟାନଙ୍କୁ ସମାଲୋଚନା କରୁଥିବା ବେଳେ ଅନ୍ୟ ପକ୍ଷ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଅନୁପ୍ରବେଶକାରୀଙ୍କୁ ମୁସଲିମ କହୁଥିବା ନେଇ କିଛି ୟୁଜର୍ସ ମୋଦୀଙ୍କୁ ସମାଲୋଚନା କରିଛନ୍ତି ।

ମୋଦୀଙ୍କ ବୟାନକୁ ନେଇ ଇଣ୍ଡି ମେଂଟର ସହଯୋଗୀ ଦଳମାନେ ବିଜେପିକୁ କଡା ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଘୃଣା ଭାଷଣରୁ ନିବୃତ ରହି ଦେଶର ମୁଖ୍ୟ ସମସ୍ୟା ଉପରେ ଆଲୋଚନା କରିବାକୁ କହିଛନ୍ତି ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ମୋଦୀ ଦେଶବାସୀଙ୍କଠୁ କ୍ଷମା ମାଗନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି ।