କନକ ବ୍ୟୁରୋ: କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରୁ ବାଲି କାଢ଼ିବା ନେଇ ବିବାଦ ତେଜିବାରେ ଲାଗିଛି । ବିଶେଷକରି ଅଧିକାରୀଙ୍କ ବୟାନବାଜି ନୂଆ ବିବାଦ ଛିଡ଼ା କରିଛି । ଦୁଇ ଦିନ ତଳେ କେନ୍ଦ୍ରୀୟ କୋଠା ବାଡ଼ି ଗବେଷଣା ସଂସ୍ଥାର ମୂଖ୍ୟ ତଥା ବାଲି କାଢ଼ିବା କମିଟିର ମୁଖ୍ୟ ପରାମର୍ଶଦାତା ଡ଼ ନାରାୟଣ ଚନ୍ଦ୍ର ପାଲ କହିଥିଲେ ଯେ, ଏଏସଆଇ ବାଲି କାଢ଼ିବା ନେଇ କମିଟି ସଦସ୍ୟଙ୍କ ସହ କୌଣସି ଆଲୋଚନା କରିନାହାନ୍ତି । ଏପରିକି ବାଲି କାଢ଼ିଲେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହେବ । ମନ୍ଦିର ଭୁଶୁଡ଼ି ପଡିବାର ବହୁତ ସମ୍ଭାବନା ଥିବା ଡକ୍ଟର ପାଲ କହିଥିଲେ । ତେବେ ଆଜି ଏ ନେଇ ପୁରୀ ସର୍କଲ ଏଏସଆଇ ସୁପରିନଟେଣ୍ଡେଣ୍ଟ ଦେବସିଦ୍ଧା ବ୍ରଜସୁନ୍ଦର ଗଡ଼ନାୟକ କହିଛନ୍ତି ଯେ, କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବାର ପ୍ରଶ୍ନ ଉଠୁନାହିଁ । ବାଲି କାଢ଼ିବା କଥା ଯିଏ କହିଛି, ସେ ଜଣେ ମୁର୍ଖ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଅଧିକାରୀମାନଙ୍କ ଏଭଳି ବୟାନବାଜି ଦ୍ୱାରା ବିଶ୍ୱ ଐତିହ ସୂର୍ଯ୍ୟମନ୍ଦିର କେତେ ସୁରକ୍ଷିତ ରହିବ, ତାକୁ ନେଇ ପ୍ରଶ୍ନ ଉଠୁଛି । ବାଲି କାଢ଼ିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି ।