କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମରେ ଯୋଗୀ ଶବ୍ଦ ବ୍ୟବହାର ନକରିବାକୁ ଆଦେଶ ଦାଖଲ ହୋଇଥିବା ଏକ ଆବେଦନକୁ ଅହ୍ଲାବାଦ୍ ହାଇକୋର୍ଟ ଖାରଜ କରିଦେଇଛନ୍ତିି । ଆବେଦନକୁ ଖାରଜ କରିବା ସହ ଆବେଦନକାରୀଙ୍କ ଉପରେ ୧ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି କୋର୍ଟ । ଜରିମାନା ରାଶି ଆସନ୍ତା ୬ ସପ୍ତାହ ମଧ୍ୟରେ ଜମା କରିବାକୁ କୋର୍ଟ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟ ବିଚାରପତି ରାଜେଶ ବିନ୍ଦୁଲ ଏବଂ ଜଷ୍ଟିସ୍ ପୀୟୁଷ ଅଗ୍ରୱାଲଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତିି । ଜରିମାନା ରାଶି ଦିବ୍ୟାଙ୍ଗ କେନ୍ଦ୍ରକୁ ପ୍ରଦାନ କରାଯିବ ବୋଲି ହାଇକୋର୍ଟ କହିଛନ୍ତିି । ଆବେଦନକାରୀ ଆବେଦନପତ୍ରରେ ଦର୍ଶାଇଛନ୍ତି ଯେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ବିଭିନ୍ନ ନାମରେ ଶପଥ ଗ୍ରହଣ କରିଆସୁଛନ୍ତି ।
ସମ୍ପୃକ୍ତ ବ୍ୟକ୍ତିଙ୍କ ଆବେଦନ ଥିଲା ଯେ, ଆଦିତ୍ୟନାଥ ୨୦୦୪,୨୦୦୯ ଓ ୨୦୧୪ ନିର୍ବାଚନରେ କେବଳ ଆଦିତ୍ୟନାଥ ନାମରେ ଶପଥ ନେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ନାଁ ପୂର୍ବରୁ ସେ ଯୋଗୀ ଶବ୍ଦ ଯୋଡିଥିଲେ । ତାଙ୍କ କହିବା ମୁତାବକ, ଆଦିତ୍ୟନାଥ କୌଣସି ଡାକ୍ତର ବା ଇଂଜିନିଅରଙ୍କ ଭଳି ଯୋଗୀ ଶବ୍ଦକୁ ଏକ ଟାଇଟଲ ଭାବେ ବ୍ୟବହାର କରୁଛନ୍ତି । ତେଣୁ ତାଙ୍କ ନାମ ଆଗରେ ଯୋଗୀ ଶବ୍ଦ ବ୍ୟବହାର କରିବା ବନ୍ଦ କରାଯିବା ଉଚିତ ବୋଲି ଆବେଦନ ଦଖଲ କରାଯାଇଥିଲା । ହେଲେ ଏହି ଆବେଦନକୁ ବିଚାର କରିବା କୋର୍ଟର ସମୟ ଅପଚୟ ବୋଲି ଯୁକ୍ତି ବାଢି ଏହାକୁ ଖାରଜ କରିବା ସହ ଆବେଦନ କରିଥିବା ବ୍ୟକ୍ତିଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି କୋର୍ଟ ।